ନବୀନଙ୍କ ଭରସା ରାଜ୍ୟସଭା ସାଂସଦ…
ଭୁବନେଶ୍ୱର,K7khabar: ବର୍ତ୍ତମାନ ଆଗକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭରସା ପାଲଟିବେ ଦଳର ସମସ୍ତ ରାଜ୍ୟସଭା ସାଂସଦ। ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟସଭା ସାଂସଦ ମାନଙ୍କ ଉପରେ ନବୀନ ଭରସା ପ୍ରକଟ କରିଛନ୍ତି। କାରଣ ଦଳ ପାଇଁ ଗୋଟିଏ ବି ନାହାନ୍ତି ଲୋକସଭା ସାଂସଦ।
ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟ ଯୋଗୁଁ ଦଳର ମେରୁଦଣ୍ଡ ଭାଙ୍ଗି ମାଟି କାମୁଡ଼ି ତଳେ ପଡ଼ିଲା। କହିବାର ତାତ୍ପର୍ଯ୍ୟ ଏହି କି ଦିଲ୍ଲୀ ଦରବାର ବା ପାଲ୍ୟାମେଣ୍ଟରେ ଲୋକସଭା ସାଂସଦ ହେଉଛନ୍ତି ଦଳର ମେରୁଦଣ୍ଡ। କିନ୍ତୁ ଏଥର ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେଡି ଗୋଟିଏ ବି ହାତେଇ ପାରିଲା ନାହିଁ। ୨୧ଟି ଆସନରୁ ୨୦ଟି ଭାରତୀୟ ଜନତା ପାର୍ଟି ହାତକୁ ଚାଲି ଯିବା ସହ ଗୋଟିଏ ଆସନ କଂଗ୍ରେସ ହାତକୁ ଚାଲିଗଲା। ଯାହା ଫଳରେ କି ସଂସଦରେ ବିଜେଡିର ମେରୁଦଣ୍ଡ ଭାଙ୍ଗି ଯାଇଛି। ତେଣୁକରି ବର୍ତ୍ତମାନ ନବୀନଙ୍କର ଆଶା ଓ ଭରସା ପାଲଟିଛନ୍ତି ରାଜ୍ୟସଭା ସାଂସଦ।
ଆଜି ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟସଭା ସାଂସଦ ମାନଙ୍କ ସହ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛନ୍ତି। ଆଗକୁ ସଂସଦରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବ ବିଜେଡି। ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଦଳ ଓହ୍ଲାଇବ ବୋଲି ବୈଠକ ପରେ ସାଂସଦ ଶସ୍ମିତ ପାତ୍ର, ମୁନ୍ନା ଖାଁ ଓ ସୁଲତା ଦେଓ ସୂଚନା ଦେଇଛନ୍ତି। ଏଥିସହିତ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଗ୍ରାମାଞ୍ଚଳର ସମସ୍ତଙ୍କୁ ପକ୍କାଘର ସୁବିଧା, ରେଲୱେ ଓ ଜାତୀୟ ରାଜପଥ ଏବଂ ମୋବାଇଲ ଟେଲି ଯୋଗାଯୋଗ ଇତ୍ୟାଦି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଦଳର ସମସ୍ତ ରାଜ୍ୟସଭା ସାଂସଦ ମାନେ ଯଥା ଶସ୍ମିତ ପାତ୍ର, ସୁଲତା ଦେଓ, ଦେବାଶିଷ ସାମନ୍ତରାୟ, ସୁଜିତ କୁମାର, ମମତା ମହନ୍ତ, ସୁବାସୀଷ ଖୁଣ୍ଟିଆ, ମାନସ ମଙ୍ଗରାଜ ଏବଂ ମୁନ୍ନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ।