ତୃଣମୂଳ ସ୍ତରରେ ପହଞ୍ଚିବ ସରକାରଙ୍କ ବିଭିନ୍ନ ଗଣଶିକ୍ଷା ଯୋଜନା; ଜିଲ୍ଲାପାଳ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ…

👇खबर सुनने के लिए प्ले बटन दबाएं

ତୃଣମୂଳ ସ୍ତରରେ ପହଞ୍ଚିବ ସରକାରଙ୍କ ବିଭିନ୍ନ ଗଣଶିକ୍ଷା ଯୋଜନା; ଜିଲ୍ଲାପାଳ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ…

ଭୁବନେଶ୍ୱର,K7: ତୃଣମୂଳ ସ୍ତରରେ ପହଞ୍ଚିବ ସରକାରଙ୍କ ବିଭିନ୍ନ ଗଣଶିକ୍ଷା ଯୋଜନା। ସମସ୍ତ ଜିଲ୍ଲାପାଳ ମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଏହି ସମ୍ମିଳନୀରେ ଉପସ୍ଥିତ ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଛନ୍ତି।

ଶିକ୍ଷାରେ ପରିବର୍ତ୍ତନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାର ଉଭୟ ନୂତନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି, ରାଜ୍ୟର ସ୍କୁଲଗୁଡ଼ିକୁ ‘ପିଏମ-ଶ୍ରୀ’ ଯୋଜନାରେ ସାମିଲ କରାଯିବା ଓ ‘ନିପୁଣ ଓଡ଼ିଶା’ ମାଧ୍ୟମରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନରେ ଗୁଣାବତ୍ତା ଆସିଛି । ପ୍ରାଥମିକ ସ୍ତରରୁ ସମସ୍ତ ପିଲାମାନଙ୍କୁ ସକ୍ଷମ କରାଯାଉଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମତପ୍ରକାଶ କରିବା ସହ ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି ସେ ମଧ୍ୟ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସେପ୍ଟେମ୍ୱର ୫ ତାରିଖ ପବିତ୍ର ଗୁରୁ ଦିବସ ଅବସରରେ ନିପୁଣ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟତଃ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ତୃତୀୟ ଶ୍ରେଣୀ ପଠ୍ୟକ୍ରମ ଶେଷ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନରେ ନିପୁଣ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଉଭୟ ଜିଲ୍ଲା ଓ ବ୍ଲକସ୍ତରରେ କାର୍ଯକାରୀ କରାଯିବା ସହ ପାଠ ପଢ଼ା ପରେ ବ୍ୟକ୍ତିଗତ ସ୍ତରରେ ବିଦ୍ୟାର୍ଥୀ କଣ ଶିଖିଲେ ଶିକ୍ଷା ସୋପାନ ରେଜିଷ୍ଟରରେ ତାହାର ମୂଲ୍ୟାଙ୍କନ କରାଯିବ ଏବଂ ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଅଗ୍ରଗତି ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବଗତ ହେବେ।

ସମ୍ମିଳନୀରେ ପିଏମ୍-ଶ୍ରୀ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଏହି ଯୋଜନା ବର୍ତ୍ତମାନର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିବ। ବିଦ୍ୟାଳୟରେ ବ୍ୟବହୃତ ହେଉନଥିବା ଭିତ୍ତିଭୂମିକୁ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯିବ, ଯାହା ଦ୍ୱାରା ସ୍ଥାନୀୟ ସଂସ୍କୃତି ସହ ଛାତ୍ରଛାତ୍ରୀମାନେ ପରିଚିତ ହେବେ। ସାମାଜିକ ଚେତନା କେନ୍ଦ୍ର ପରି ଅଭିନବ ପଦକ୍ଷେପ ମାନ ହାତକୁ ନିଆଯାଇ ପାରିବ। ଗୋଷ୍ଠୀ ସହଭାଗିତା ଏବଂ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଏହା ମାଧ୍ୟମରେ ଯୋଡ଼ାଯିବ। ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା, ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ସଚେତନତାକୁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯିବ।

ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସମ୍ପର୍କରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସୂଚନା ପ୍ରଦାନ କରି କହିଛନ୍ତି କି, ରାଜ୍ୟର ପ୍ରତି ଗ୍ରାମ ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବ। ଜାତୀୟ ଶିକ୍ଷା ନୀତି – ୨୦୨୦ ଏବଂ ଶିକ୍ଷା ଅଧିକାର ଅଧିନିୟମକୁ ଆଧାର କରି ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ମଡେଲ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ପାଇଁ ‘ଫିଡର୍ ବିଦ୍ୟାଳୟ’ ହେବ। ଏହି ଯୋଜନା ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୂର କରିବ।

ଶେଷରେ ମନ୍ତ୍ରୀ କହିଛନ୍ତି;  ଶିକ୍ଷକମାନଙ୍କୁ ଶିକ୍ଷଣ ସାମଗ୍ରୀ ଯୋଗାଇଦେବା, ଶିକ୍ଷଣୀୟ ପଦ୍ଧତିକୁ ଉନ୍ନତ କରିବା, ବିଭିନ୍ନ ଅଂଶୀଦାରଙ୍କ ଠାରୁ ମତାମତ ଗ୍ରହଣ କରିବା, ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଓ ବିଭିନ୍ନ ଯୋଜନାର ମନିଟରିଂ କରିବା ପାଇଁ ଜିଲ୍ଲାସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲାସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଜିଲ୍ଲାପାଳମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ତେଣୁକରି ଆଗକୁ ରାଜ୍ୟ ସରକାରଙ୍କ ଶିକ୍ଷା ଯୋଜନା ଗୁଡିକୁ କିପରି ତୃଣମୂଳସ୍ତରରେ ପହଞ୍ଚାଯାଇପାରିବ ସେ ନେଇ ଜିଲ୍ଲାପାଳମାନଙ୍କ ବିଭିନ୍ନ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇଛି।

Leave a Comment

  • Digital Griot