ମିସକ୍ୟାରେଜ୍ କାହିଁକି ହୁଏ…
K7khabar: ମାତୃତ୍ବ ଗୋଟିଏ ନାରୀ ଜୀବନରେ ଆଣିଦେଇଥାଏ ପୂର୍ଣ୍ଣତା। ନାରୀ ଯେତେବେଳେ ତା ଗର୍ଭରେ ନିଜ ସନ୍ତାନକୁ ଧାରଣ କରେ ବା ମାତୃତ୍ବ ଲାଭ କରିବାର ସମୟ ଆସେ; ସେତେବେଳେ ମିଳେ ତାକୁ ପୂର୍ଣ୍ଣତାର ଆନନ୍ଦ ଓ ସ୍ଵର୍ଗ ସୁଖ। ଗୋଟିଏ ଶିଶୁକୁ ଗର୍ଭରେ ଧାରଣ କରିବା ସମୟଟା ହେଉଛି ଉଭୟ ମାଆ ଓ ଶିଶୁ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ସେହି ସମୟରେ ଯଦି ଗୋଟିଏ ମାଆ ନିଜେ ସଚେତନ ବା ଜାଗ୍ରତ ନ ରହେ, ତେବେ ମାତୃତ୍ବରେ ଅଘଟଣ ଘଟିବା ସହ ଗର୍ଭ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଥାଏ। ଡାକ୍ତରୀ ଭାଷାରେ ଯାହାକୁ ମିସକ୍ୟାରେଜ୍ ବା ଆକସ୍ମିକ ଗର୍ଭପାତ ବୋଲି କହାଯାଏ।
ସାଧାରଣତଃ ଚିକିତ୍ସା ବିଜ୍ଞାନରେ ଗର୍ଭପାତକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ମିସକ୍ୟାରେଜ୍ ବା ଅସ୍ବଭାବିକ ଗର୍ଭପାତ ଓ ଆଉ ଗୋଟିଏ ହେଲା ଆବରସନ ବା ସ୍ବାମୀ ସ୍ତ୍ରୀ ନିଜ ଇଚ୍ଛାରେ ଗର୍ଭ ନଷ୍ଟ କରିବା। ଏହା ମଧ୍ୟରେ ମିସକ୍ୟାରେଜ୍ କିନ୍ତୁ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ କାରଣ ପାଇଁ ହୋଇଥାଏ। ଗୋଟିଏ ମହିଳା ଗର୍ଭ ଧାରଣ କଲା ପରେ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସକ୍ୟାରେଜ୍ ହେବାର ସମ୍ଭାବନା ଅଧିକ ରହି ଥାଏ। କିନ୍ତୁ ବର୍ତ୍ତମାନ ସମୟରେ ମହିଳାଙ୍କର ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମିସକ୍ୟାରେଜ୍ ଅଧିକ ହେବାର ଦେଖାଯାଉଛି। ଏଥିପାଇଁ ମୁଖ୍ୟତଃ ସ୍ବାମୀ ସ୍ତ୍ରୀ ଉଭୟ ହିଁ ସମ ପରିମାଣରେ ଦାୟୀ ଅଟନ୍ତି।
ଡାକ୍ତରଙ୍କ ମତରେ ଗର୍ଭବତୀ ମହିଳାଙ୍କ ଶାରୀରିକ ଅସୁସ୍ଥତା ଯଥା; ପ୍ରବଳ ଜ୍ଵର କିମ୍ବା ମ୍ୟାଲେରିଆ, ରୁବେଲା, ସିଫିଲିସ, ଟକ୍ସପ୍ଲାଜ୍ମାସିସ,ଲିଷ୍ଟରୋସିସ ଓ ଭେକ୍ସେନିଆ ଭଳି ରୋଗ ସହ ଉଚ୍ଚ ରକ୍ତଚାପ ଏବଂ ସିଭିଅର ଡାଇବେଟିସ ରୋଗରେ ମଧ୍ୟ ମିସକ୍ୟାରେଜ୍ ବା ଆକସ୍ମିକ ଗର୍ଭପାତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଜଣେ ମହିଳାର ଗର୍ଭାଶୟରେ ଗର୍ଭ ଧାରଣ ପୂର୍ବରୁ ଯଦି କୌଣସି ସମସ୍ୟା ଥାଏ କିମ୍ବା ଗର୍ଭ ଧାରଣ ସମୟରେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା କୌଣସି ଔଷଧ ସେବନ କଲେ ମଧ୍ୟ ମିସକ୍ୟାରେଜ୍ ହେବାର ସମ୍ଭାବନା ରହିଥାଏ।
ମିସକ୍ୟାରେଜ୍ ହେବାର ପୂର୍ବ ଲକ୍ଷଣ…
# ଲାଲ କିମ୍ବା ଖଇରିଆ ରଙ୍ଗର ରକ୍ତସ୍ରାବ ହେବା
# ସମ୍ପୂର୍ଣ୍ଣ ପେଟରେ ବା ତଳିପେଟରେ ଯନ୍ତ୍ରଣା ହେବା
ପ୍ରଥମ ତିନି ମାସରେ ଗର୍ଭପାତର କାରଣ…
# ସଂକ୍ରମଣ ଥିଲେ ବା ଶୁକ୍ରାଣୁ ଓ ଡିମ୍ବାଣୁରେ ସମସ୍ୟା ଥିଲେ
# ଗର୍ଭସ୍ଥ ଶିଶୁକୁ ଭଲଭାବେ ରକ୍ତ ସଂଚାରଣ ହେଉ ନଥିଲେ
# ଗର୍ଭସ୍ଥ ଶିଶୁକୁ ମହିଳାଙ୍କ ଶରୀର ବହିଷ୍କାର କରୁଥିଲେ ବା ଶରୀରରେ ଫଲିକ୍ ଏସିଡ୍ ସମସ୍ୟା ରହିଥିଲେ
ଦ୍ୱିତୀୟ ତିନି ମାସରେ ଗର୍ଭପାତର କାରଣ…
# ଜରାୟୁରେ କୌଣସି ସମସ୍ୟା ବା ଟ୍ୟୁମର ଥିଲେ
# ଜରାୟୁର ମୁହଁ ବା ଦ୍ଵାର ସବୁବେଳେ ଖୋଲା ରହୁଥିଲେ
ମିସକ୍ୟାରେଜ୍ ର ପ୍ରତିକାର…
# ଗର୍ଭଧାରଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା କରନ୍ତୁ
# ବ୍ଲଡ଼ସୁଗାର ଓ ଥାଇରଏଡ଼ ପରିମାଣ ନିୟମିତ ପରୀକ୍ଷା କରନ୍ତୁ
# ନିୟମିତ ୨ ରୁ ୩ ମାସ ପର୍ଯ୍ୟନ୍ତ ଫଲିକ ଏସିଡ୍ ଖାଆନ୍ତୁ