ପୁନଶ୍ଚ ପୃଥିବୀ ଓ ତୃତୀୟ ବିଶ୍ଵଯୁଦ୍ଧ…
ଭୁବନେଶ୍ୱର,K7khabar: ପୁନଶ୍ଚ ପୃଥିବୀ ଓ ତୃତୀୟ ବିଶ୍ଵଯୁଦ୍ଧ ଏକ ଅନୁଚିନ୍ତା ମାତ୍ର। କିନ୍ତୁ ଏହାର ତାତ୍ପର୍ଯ୍ୟକୁ ବର୍ତ୍ତମାନ ସମୟରେ ଆମେ ସମସ୍ତେ ଅନୁଶୀଳନ ଏବଂ ଅନୁଧ୍ୟାନ କରିବା ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି। ବର୍ତ୍ତମାନ ସାରା ବିଶ୍ଵର ଗତି ହୋଇଯାଇଛି ଦିଗହରା। ସମସ୍ତ ଦେଶ ଏବଂ ଦେଶବାସୀ ହୋଇ ଯାଇଛନ୍ତି ସ୍ବାର୍ଥପର। ଯାହାର ଫଳ ସ୍ୱରୂପ; ଆଜି ପୃଥିବୀ ବାସୀ ହେଉଛନ୍ତି ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟର ସମ୍ମୁଖୀନ।
ସାରା ସଂସାରରେ ଯେତେ ସବୁ ଗ୍ରହ ନକ୍ଷତ୍ରଙ୍କୁ ଭଗବାନ ସୃଷ୍ଟି କରିଛନ୍ତି, ତନ୍ମଧ୍ୟରୁ ପୃଥିବୀର ସୃଷ୍ଟି ଅନନ୍ୟ ଓ ତାହାର ରଚନା ଭଗବାନଙ୍କର ଏକ ନିଆରା ଚିନ୍ତାଧାରା କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁଠି କି ଭଗବାନ ପ୍ରାଣୀ ଜଗତର ରଚନା କରିଛନ୍ତି, ଆଉ ସେହି ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟ ହେଉଛି ଭଗବାନଙ୍କର ଏକ ଅନନ୍ୟ ଦାନ। ଯାହାର ପରିକଳ୍ପନା ସାରା ସଂସାରରେ ଅତୁଳନୀୟ। ଯାହାକୁ କି ଭଗବାନ ସାରା ସଂସାରର ରକ୍ଷା କରିବା ଉଦ୍ଧେଶ୍ୟରେ ସୃଷ୍ଟି କରିଥିଲେ। ସେଥିପାଇଁ ସାରା ସଂସାରରେ ବା ଜୀବଜଗତରେ ମନୁଷ୍ୟକୁ ଶ୍ରେଷ୍ଠ ପ୍ରାଣୀ ବୋଲି ବିବେଚନା କରାଯାଇଛି। କିନ୍ତୁ ଆଜିର ମନୁଷ୍ୟ ଏହି ପୃଥିବୀରେ ତା ଜନ୍ମର ମୂଳ ଉଦ୍ଧେଶ୍ୟକୁ ଭୁଲି ଯାଇଛି।
ଆଜି ସାରା ବିଶ୍ବର ଯେଉଁ ଦେଶକୁ ଦେଖିବା, ସବୁଠି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ତାହା ପ୍ରାକୃତିକ ହେଉ ଅବା କୃତ୍ରିମ। ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ହେଉଛି ଏହି ମନୁଷ୍ୟ। ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ; ଆଜିର ମଣିଷ ସମାଜ ନିଜର ସ୍ବାର୍ଥ ପାଇଁ ନିଜକୁ ନିଜେ ଧ୍ଵଂସ ମୁଖକୁ ଠେଲି ଦେଇଛି। ଆଜି କେଉଁଠି ଗୋଟିଏ ଦେଶ ନିଜର ସ୍ଵାର୍ଥ ପାଇଁ ଅନ୍ୟ ଦେଶର ଶତୃ ପାଲଟିଛି ତ ଆଉ କେଉଁଠି ଗୋଟିଏ ରାଜ୍ୟ ତାର ସ୍ଵାର୍ଥ ପାଇଁ ଅନ୍ୟ ରାଜ୍ୟର ଶତୃ ପାଲଟିଛି। ଦେଶ ଦେଶର ଶତୃ, ରାଜ୍ୟ ରାଜ୍ୟର ଶତୃ ଓ ମଣିଷ ମଣିଷର ଶତୃ ପାଲଟି ଯାଇଛନ୍ତି। ଯାହା ଯୋଗୁଁ ଆଜି ସାରା ବିଶ୍ବରେ ଧ୍ଵଂସର ତାଣ୍ଡବଲୀଳା ଆରମ୍ଭ ହୋଇଛି।
କେଉଁଠି ଦେଶ-ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇ ଦେଶ ବର୍ବାଦ ହେଉଛି ତ କେଉଁଠି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଘଟି ଅସଂଖ୍ୟ ଧନ ଜୀବନ ଯାଉଛି। ତେଣୁ ବର୍ତ୍ତମାନ ସାରା ବିଶ୍ବରେ ଘଟୁଥିବା ଏହିସବୁ ଜଟିଳ ପରିସ୍ଥିତିର ମୁଖ୍ୟ ଦାୟୀ ହେଉଛି ମଣିଷ। ଯାହାକି ତୃତୀୟ ବିଶ୍ଵଯୁଦ୍ଧର ସମକକ୍ଷ କହିଲେ ଅତ୍ୟୁକ୍ତି ହେବନାହିଁ ଏବଂ ପୃଥିବୀର ବଡ଼ବଡ଼ ଜ୍ୟୋତିର୍ବିଦ ମାନେ ମଧ୍ୟ ଏହାର ଆକଳନ କରି ସାରିଲେଣି। ତେଣୁକରି ଯଦି ଭଗବାନଙ୍କର ଏହି ସୁନ୍ଦର ସୃଷ୍ଟିକୁ ବଞ୍ଚେଇ ନିଜେ ଭଲରେ ବଞ୍ଚିବାର ଅଛି ତେବେ ବର୍ତ୍ତମାନର ମଣିଷ ସମାଜ ଆତ୍ମ ସମୀକ୍ଷା କରିବା ନିହାତି ଜରୁରୀ ହୋଇ ପଡ଼ିଛି।