ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତରତ୍ନ’
ଭୁବନେଶ୍ୱର,k7khabar: ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତରତ୍ନ’ ମିଳିବା ଦେଶବାସୀଙ୍କ ପାଇଁ ଖୁସିର ବିଷୟ। ରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନର ଜନନେତା ଓ ଭାରତୀୟ ଜନତା ପାର୍ଟି ଗଢ଼ି ତୋଳିବାରେ ତାଙ୍କର ଅବଦାନ ଅତୁଳନୀୟ ଅଟେ। ରାଜନୈତିକ ଓ ସଂସଦୀୟ କାର୍ଯ୍ୟ କ୍ଷେତ୍ରରେ ଆଡଭାନୀ ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଏବଂ ଜଣେ ଆଦର୍ଶବାଦୀ ଜନନେତା । ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତରତ୍ନ’ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।
ଭାରତର ବିକାଶରେ ଲାଲକୃଷ୍ଣ ଆଡଭାନୀଙ୍କ ଅତୁଳନୀୟ ଅବଦାନ ରହିଛି। ତାଙ୍କ ଜୀବନୀ ତଳସ୍ତରରୁ ଆରମ୍ଭ ହୋଇ ଦେଶର ଉପପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବା ଯାଏଁ ରହିଛି। ପ୍ରଥମେ ସ୍ୱର୍ଗତଃ ମୋରାର୍ଜି ଦେଶାଇଙ୍କ ମନ୍ତ୍ରୀମଣ୍ଡଳରେ ସେ ସୂଚନା ପ୍ରସାରଣମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଓ ପରେ ଭାରତରତ୍ନ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳୀରେ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଲାଲକୃଷ୍ଣ ଆଡଭାନୀ ଦଳର ଏକମାତ୍ର ନେତା ଯିଏ ୧୯୮୦ ମସିହାରୁ ବା ବିଜେପି ତିଆରି ହେବା ପରଠାରୁ ଅଧିକାଂଶ ସମୟ ପାର୍ଟିର ବିଭିନ୍ନ ପଦପଦବୀରେ ଦାୟିତ୍ୱ ତୁଲାଇଥିଲେ। ଏହାଛଡା ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷତା କରିଥିଲେ। ସେହିପରି ୧୯୯୩ ରୁ ୧୯୯୮ ଓ ୨୦୦୪ ରୁ ୨୦୦୫ ଯାଏଁ ବିଜେପିର ଅଧ୍ୟକ୍ଷ ଥିଲେ। ଆଡଭାନୀ ନିଜର ସମର୍ପିତ କାର୍ଯ୍ୟଶୈଳୀ ପାଇଁ ସମସ୍ତଙ୍କ ପାଖରେ ସଦା ସର୍ବଦା ଗ୍ରହଣୀୟ ହୋଇପାରିଛନ୍ତି।