ରାଜନୈତିକ ପ୍ରଚାର କାର୍ଯ୍ୟରେ ଛୋଟ ପିଲାଙ୍କୁ ବ୍ୟବହାର କରିବା ଉପରେ ଲାଗିଲା ରୋକ…
ନୂଆଦିଲ୍ଲୀ,k7khabar: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ପାଖାପାଖି ଏପ୍ରିଲ – ମେ ମାସ ମଧ୍ୟରେ ଭୋଟ୍ଗ୍ରହଣ ହେବା ସମ୍ଭାବନା । ତେବେ ଏହା ପୂର୍ବରୁ ନିର୍ବାଚନ ଆୟୋଗ ବର୍ତ୍ତମାନ ତତ୍ପରତା ଦେଖାଇବା ଆରମ୍ଭ କରିଲେଣି । ସୂଚନା ଅନୁସାରେ ନିର୍ବାଚନ ଆୟୋଗ ସୋମବାର ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରତ୍ୟେକ ରାଜନୈତିକ ଦଳକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି।ଆୟୋଗଙ୍କ ଆଡ଼ଭାଇଜରି ଅନୁସାରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଛୋଟ ପିଲାମାନଙ୍କୁ କୌଣସି ମାଧ୍ୟମରେ ବ୍ୟବହାର କରାଯାଇପାରିବ ନାହିଁ ।
ପୋଷ୍ଟର ତଥା ପାମ୍ପପ୍ଲେଟ୍ ଲଗାଇବା ଓ ବାଣ୍ଟିବା, ପ୍ରଚାରରେ ଦଳୀୟ ପତାକା ଧରାଇବା ଏବଂ ନାରାବାଜି କରାଇବା ଭଳି କୌଣସି ପ୍ରଚାର ପ୍ରକ୍ରିୟା ଅନ୍ତର୍ଗତ ପିଲାଙ୍କୁ କୌଣସି ନେତା କିମ୍ବା ରାଜନୈତିକ ଦଳ ବ୍ୟବହାର କରିପାରିବେ ନାହିଁ । ପୂର୍ବରୁ ଏଭଳି ଦୃଶ୍ୟ ବହୁତ ଦେଖିବାକୁ ମିଳିଛି। ତେଣୁ ନିର୍ବାଚନ ସମୟରେ ଛୋଟ ପିଲାମାନଙ୍କ ବ୍ୟବହାରକୁ ନେଇ ନିର୍ବାଚନ ଆୟୋଗ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରିବେ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି । ସୁତରାଂ କୌଣସି ନେତା ନିଜ ରାଲ୍ଲୀରେ, ଗାଡ଼ିରେ ରୋଡ୍ ଶୋ’ କରିବା ସମୟରେ, ରାଜନୈତିକ ଦଳୀୟ ପ୍ରଚାରରେ ଛୋଟ ପିଲାମାନଙ୍କୁ ବ୍ୟବହାର କଲେ ତାହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯିବ ଏବଂ ତଦନୁସାରେ ଦଳ ତଥା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରାଯିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି ।
ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ସଂସଦୀୟ ନିର୍ବାଚନରେ ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି । ଏହା ବ୍ୟତୀତ ନିର୍ବାଚନ ସହ ଜଡିତ କୌଣସି କାମ କିମ୍ବା ଗତିବିଧି ମଧ୍ୟରେ ପିଲାମାନଙ୍କୁ ଯେପରି ସାମିଲ କରାନଯାଏ ସେଥିପ୍ରତି ସତର୍କ ରହିବାକୁ ଦେଶର ସମସ୍ତ ରାଜ୍ୟର ନିର୍ବାଚନ ଅଧିକାରୀ ଏବଂ ମିଶନାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଶିଶୁ ଶ୍ରମ ଆଇନ୍ ସହ ଜଡିତ ସମସ୍ତ ନିୟମ କାନୁନକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
ଯଦି ସେଥିରେ କୌଣସି ଖିଲାପ ହୁଏ ତେବେ ସେଥି ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ନିର୍ବାଚନ ଆୟୋଗ ଆଡ଼ଭାଇଜରିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏଥିସହ ଲୋକସଭା କ୍ଷେତ୍ରରେ କାମ କରୁଥିବା ନିର୍ବାଚନୀ ମିଶନାରୀ ସଂଗଠନ ଗୁଡ଼ିକ ଉପରେ ମଧ୍ୟ ଏହି ନିୟମ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟୋଗ କଡ଼ା ଚେତାବନୀ ଦେଇଛନ୍ତି।