ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରେସ ବିବୃତି, ଏସ୍ପି ଓ କଲେକ୍ଟରଙ୍କୁ କଡ଼ା ନିର୍ଦ୍ଦେଶ…

👇खबर सुनने के लिए प्ले बटन दबाएं

ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରେସ ବିବୃତି, ଏସ୍ପି ଓ କଲେକ୍ଟରଙ୍କୁ କଡ଼ା ନିର୍ଦ୍ଦେଶ…

ଭୁବନେଶ୍ୱର,k7khabar: ଗତ ୧୫ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପର୍ଯ୍ୟାୟକ୍ରମେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଭାରତୀୟ ମୁଖ୍ୟ ନିର୍ବାଚନ କମିଶନ। ଆଜି ଥିଲା ତାର ଅନ୍ତିମ ଦିନ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ପୂରା ପ୍ରସ୍ତୁତ। ଆସନ୍ତା ଜୁନ୍‌ ୧୬ ସୁଦ୍ଧା ଲୋକସଭା ଓ ଜୁନ୍‌ ୨୪ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ ହେବ।ସମସ୍ତ ଜିଲ୍ଲାପାଳ ଏବଂ ଏସପି ମାନେ ପ୍ରତ୍ୟେକ ରାଜନୈତିକ ଦଳପ୍ରତି ସମାନ ମନୋଭାବ ପୋଷଣ କରିବା ସହ ନିରପେକ୍ଷ ଓ ସ୍ଵଚ୍ଛ ନିର୍ବାଚନ ଉପରେ ଗୁରୁତ୍ବ ଦେବେ।

୩ ଦିନ ଧରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବା ପରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସେ କହିଛନ୍ତି କି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ, ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ପର୍ବ ସରିଯାଇଛି। ସବୁ ଭୋଟର ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ୍ କରିବାକୁ ସେ ମଧ୍ୟ ଆହ୍ୱାନ ଦେଇଛନ୍ତି। ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଆସନ୍ତା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ରାଜ୍ୟରେ ମୋଟ୍ ୩୭ ହଜାର ୮୦୯ ବୁଥର ବ୍ୟବସ୍ଥା କରାଯାଇଛି। ୨୨ ହଜାର ୬୮୫ ଜାଗାରେ ଓ୍ଵେବକାଷ୍ଟିଂ ହେବ। ପାଖାପାଖି ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ହିଁ ନିୟୋଜିତ ହେବେ।

ଆହୁରି ମଧ୍ୟ ରାଜୀବ କୁମାର କହିଛନ୍ତି କି ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ସଂପର୍କରେ ଅଭିଯୋଗ ଆସିଲେ ଏକ ସ୍ଵତନ୍ତ୍ର କମିଟି ତଦନ୍ତ କରିବ ଏବଂ ଅଭିଯୋଗ ସତ ପ୍ରମାଣିତ ହେଲେ ସେବାବଦ ସମସ୍ତ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯୋଡ଼ାଯିବ। କେଉଁ ଜାଗାରେ କିଛି ଗଡ଼ବଡ଼ ହେଲେ ଲୋକେ ସିଧାସଳଖ କମିଶନଙ୍କୁ ଜଣାଇ ପାରିବେ। ସି-ସିଭିଲ୍ ଆପ୍ ଜରିଆରେ ମଧ୍ୟ ଅଭିଯୋଗ କରି ପାରିବେ। ଏପରିକି ନିଜର ନାମ ଗୋପନ ରଖି ମଧ୍ୟ କମିଶନଙ୍କୁ ଅଭିଯୋଗ କରି ପାରିବେ। ଯେଉଁଠାରୁ ବି ଅଭିଯୋଗ ଆସିବ ଆମ ଟିମ୍ ଘଣ୍ଟାଏରୁ ଦୁଇ ଘଣ୍ଟା ମଧ୍ୟରେ ପହଞ୍ଚିବ। କୌଣସି ନିର୍ଦ୍ଦିଷ୍ଟ ଜାଗାରେ ସଭା କରିବା ପାଇଁ ଯିଏ ପ୍ରଥମେ ଆବେଦନ କରିବେ ତାଙ୍କୁ ପ୍ରଥମେ ଅନୁମତି ଦିଆଯିବ। ଯେଉଁ ପ୍ରାର୍ଥୀଙ୍କ ନାଁରେ ପରାଧିକ ମାମଲା ଥିବ ସେ ୩ ଥର ବିଜ୍ଞାପନ ଦେଇ ଜଣାଇବେ।

ଏଥର ମହିଳା ଭୋଟରଙ୍କ ସଂଖ୍ୟା ୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୯ ହଜାର ୬୦ଜଣ ଶତାୟୁ ଭୋଟର ଅଛନ୍ତି। ମତଦାତାଙ୍କୁ ବୁଥରେ ସବୁ ପ୍ରକାର ସୁବିଧା ଦିଆଯିବ। ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ମୁଖ୍ୟ ନିର୍ବାଚନ ଆୟୋଗ ନିରପେକ୍ଷତା ଏବଂ ସ୍ଵଚ୍ଛତାର ସହ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିରପେକ୍ଷତାର ସହ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ ଓ ଏସପି ମାନେ ଗୁରୁତ୍ଵ ଦେବେ ବୋଲି କମିଶନ ସୂଚନା ଦେଇଛନ୍ତି।

Leave a Comment

  • Digital Griot