ମାଘମାସରେ ବାଘଭଳି ତାତି; ଫେବୃଆରୀ ମାସରୁ ରାଜ୍ୟର ସବୁ ଜିଲ୍ଲାରେ ପାରଦ ୩୦ ପାର୍…
ଭୁବନେଶ୍ୱର,k7khabar: ଫେବୃଆରୀ ନପୁରୁଣୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି। ପ୍ରାୟ ସମସ୍ତ ଜିଲ୍ଲାରେ ପାରଦ ୩୦° ଅତିକ୍ରମ କରି ସାରିଲାଣି। ରାଜ୍ୟର ୧୫ଟି ସ୍ଥାନରେ ୩୫ ଡିଗ୍ରୀ ଠାରୁ ଅଧିକ ରହିଛି ତାପମାତ୍ରା। ଆଜି ମଧ୍ୟ ଭୁବନେଶ୍ୱର ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର। ଆଜି ଭୁବନେଶ୍ୱରର ତାପମାତ୍ରା ୩୬.୪℃ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ମାସରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। ବିଭାଗ ଆକଳନ କରିଛି କି ଆସନ୍ତା ଦୁଇଦିନ ମଧ୍ୟରେ ପାରଦ ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଅର୍ଥାତ୍ ଫେବୃଆରୀ ମାସରେ ଖରା ପାଖାପାଖି ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । କିନ୍ତୁ ଆସନ୍ତା ୨୪ ତାରିଖ ବେଳକୁ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟବାସୀଙ୍କୁ ଏହି ଖରା ତାତିରୁ ସାମାନ୍ୟ ଆଶ୍ୱସ୍ତ ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସୂଚନା ଅନୁଯାଇ ଏହାପୂର୍ବରୁ ୨୦୧୬ ମସିହାରେ ମଧ୍ୟ ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ସେହିପରି ଗତବର୍ଷ ମଧ୍ୟ ଆଜିର ଦିନରେ ତାମପାତ୍ରା ୩୮° ରହିଥିବା ବେଳେ ୨୦୧୯ ଫେବ୍ରୁଆରୀ ୨୩ରେ ମଧ୍ୟ ଭୁବନେଶ୍ୱରର ତାପମାତ୍ରା ୩୯.୪ ℃ ରହିଥିଲା ।
ବର୍ତ୍ତମାନ କ୍ରମାଗତ ଭାବେ ଗରମ ବଢୁଥିବାରୁ ସମ୍ଭାବ୍ୟ ଅଂଶୁଘାତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଲାଣି ସ୍ୱାସ୍ଥ୍ୟ ବିଭାଗ। କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶୀତ ଋତୁରେ ମଧ୍ୟ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ପାରିନାହିଁ ସ୍ୱାସ୍ଥ୍ୟ ବିଭାଗ । ସେଥିପାଇଁ ସବୁ ଜିଲ୍ଲାକୁ ଆଗୁଆ ଏସ୍ଓପି ଜାରି କରାଯାଇଛି। ଯେଉଁଥିରେ କି ଲୋକଙ୍କୁ ଅଂଶୁଘାତ ବିଷୟରେ ସତର୍କ କରାଇବା ସହ ହସ୍ପିଟାଲରେ ଡେଡିକେଟେଡ୍ ବେଡ୍ ଏବଂ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ନିୟମିତ ଭାବେ ଅଂଶୁଘାତ ସଂପର୍କିତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି। ରାଜ୍ୟରେ ପାରଦ ପାଖାପାଖି ୪୦ ଡିଗ୍ରୀ ଛୁଇଁଲେ; ନିୟମାବଳିକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ପୁନର୍ବାର ରିମାଇଣ୍ଡର ଦିଆଯିବ।