କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି: ଆସନ୍ତା ଜୁଲାଇ ପହିଲାରୁ ୩ ନୂଆ ଫୌଜଦାରୀ ଆଇନ…
k7khabar: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଫୌଜଦାରୀ ଆଇନକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ଆଗାମୀ ଦିନରେ ଭାରତୀୟ ଆଇନ ପ୍ରକ୍ରିୟାରେ ୩ଟି ନୂଆ ଫୌଜଦାରୀ ଆଇନ ଲାଗୁ ହେବାକୁ ଯାଉଛି। ଏହି ତିନୋଟି ନୂଆ ଅପରାଧିକ ନିୟମ ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟକାରୀ କରାଯିବ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।
ଏହି ନୂଆ ଆଇନ ପ୍ରଣୟନ ହେଲେ; ଇଣ୍ଡିଆନ ପେନାଲ କୋଡ (IPC) ଏବଂ କୋଡ ଅଫ୍ କ୍ରିମିନାଲ ପ୍ରୋସିଜର୍ (CRPC) ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରାଯିବ।
ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍ ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଗତ ବର୍ଷ ଶୀତ ଅଧିବେଶନ ସମୟରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ପାଇବା ପରେ ବିଲ୍ ଆଇନରେ ପରିଣତ ହୋଇଥିଲା। ଯାହା ଆସନ୍ତା ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
ଏହି ନୂଆ ନିୟମ ଭାରତୀୟତା, ଭାରତୀୟ ସମ୍ବିଧାନ ଏବଂ ଲୋକଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରେ। ଏଥିସହ ଟେକ୍ନୋଲୋଜିର ବ୍ୟବହାରକୁ ଉତ୍ସାହିତ କରିଥାଏ ଏବଂ ଅନୁସନ୍ଧାନ, ପ୍ରବର୍ତ୍ତନ ଓ ନ୍ୟାୟିକ ବ୍ୟବସ୍ଥାରେ ଫରେନସିକ୍ ସାଇନ୍ସକୁ ଅଧିକ ଗୁରୁତ୍ୱ ଦେଇଥାଏ। ଏହି ତିନୋଟି ନିୟମ ଅନୁଯାୟୀ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଶ୍ୱରେ ସବୁଠାରୁ ଉନ୍ନତ ହେବ ବୋଲି ସଂସଦରେ ଏହି ବିଲ୍ ଆଗତ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହା କହିଥିଲେ।