କୋରାପୁଟ ପୌରାଞ୍ଚଳ ଅବସ୍ଥା ; ଯଥା ପୂର୍ବଂ ତଥା ପରଂ…
କୋରାପୁଟ,k7khabar: ବିଜେଡି ଦ୍ବାରା ଗଠିତ କୋରାପୁଟ ପୌର ପରିଷଦକୁ ପୁରିବ ଦୁଇବର୍ଷ। କିନ୍ତୁ ଆଜିବି ପୌରାଞ୍ଚଳର ଅବସ୍ଥା ଯଥା ପୁର୍ବଂ ତଥା ପରଂ। କହିବାର ତାତ୍ପର୍ଯ୍ୟ ଏହି କି; ଦୀର୍ଘଦିନ ପରେ କଂଗ୍ରେସର ଗଡ଼କୁ ଭାଙ୍ଗି ବିଜୟ ପତାକା ଉଡାଇଥିଲା ବିଜେଡି। ୨୦୨୨ ମସିହା ପୂର୍ବରୁ କୋରାପୁଟ ପୌର ପରିଷଦ କଂଗ୍ରେସ ଅକ୍ତିଆରରେ ରହି ଆସୁଥିଲା। କିନ୍ତୁ ଦୀର୍ଘବର୍ଷ ଧରି ପୌରାଞ୍ଚଳର କୌଣସି ଉନ୍ନତି ନହେବାରୁ ଅଞ୍ଚଳ ବାସୀ ପୌର ପରିଷଦକୁ ପରିବର୍ତ୍ତନ କରିବା ପାଇଁ ମନସ୍ତ କରିଥିଲେ। ଯେଉଁ ଦଳ ସହରର ଅନ୍ନତି କରିବାକୁ ପ୍ରତିଶ୍ରୁତି ଦେବ; ସେହି ଦଳକୁ ଭୋଟ ଦେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ଯାହାର ଫାଇଦା ଉଠାଇ ଥିଲା ବିଜେଡି। ଆମକୁ ଭୋଟ ଦିଅ, ଆମେ ଜିତିଲେ ପୌରାଞ୍ଚଳର ସମ୍ପୂର୍ଣ୍ଣ ଉନ୍ନତି ଓ ପୂର୍ଣ୍ଣ ବିକାଶ ଦିଗରେ ପଦକ୍ଷେପ ନେବୁ ଏବଂ ପୌରାଞ୍ଚଳକୁ ଏକ ସୁନ୍ଦର ସହରରେ ପରିଣତ କରିବୁ ବୋଲି କହିଥିଲେ। ଯାହାର ଫଳ ସ୍ଵରୂପ ବିଜେଡି ପୂର୍ଣ୍ଣ ବହୁ ମତରେ ବିଜୟ ଲାଭ କରି କୋରାପୁଟ ପୌର ପରିଷଦ ଗଠନ କରିଥିଲା।
ଗତ ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା ପୌର ନିର୍ବାଚନ। ଏହା ମଧ୍ୟରେ ଦୁଇବର୍ଷ ପୁରିବାକୁ ବସିଲାଣି। ଆଉ ମାତ୍ର ଏକମାସ ପରେ ପୌର ପରିଷଦର ଦୁଇବର୍ଷ ପୂର୍ତ୍ତି ହେବ। ହେଲେ ବର୍ତ୍ତମାନ କୋରାପୁଟ ପୌରାଞ୍ଚଳ ଅବସ୍ଥା ଯଥା ପୁର୍ବଂ ତଥା ପରଂ ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳର ନେତା,କର୍ମୀ ଓ କାଉନସିଲରଙ୍କ ଠାରୁ ଆରମ୍ଭ କରି ସ୍ଥାୟୀ ବାସିନ୍ଦା ମାନେ ମଧ୍ୟ ପରୋକ୍ଷରେ ଓ ପ୍ରତ୍ୟକ୍ଷରେ ପୌର ପରିଷଦର ଚେୟାରମ୍ୟାନ ଏବଂ ସମସ୍ତ କାଉନସିଲରଙ୍କୁ ନିନ୍ଦା ଓ ଭର୍ଛନା କରିବା ଆରମ୍ଭ କଲେଣି। ଲୋକେ ବର୍ତ୍ତମାନ ଟାହି ଟାପରା କରି କହୁଛନ୍ତି କି; ଆମ ଚେୟାରମ୍ୟାନ MLA ନିଶାରେ, କୋରାପୁଟ ସହରକୁ କିଏ ପଚାରେ। ଖାଲି ମୁକ୍ତା ଯୋଜନା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ପାର୍କ ନିର୍ମାଣ ଛଡ଼ା, ଆଉ ସହରର କୌଣସି ଉନ୍ନତି ମୁଳକ କାର୍ଯ୍ୟ ହେଉନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଖୋଦ ବିଧାୟକ ରଘୁରାମ ପଡ଼ାଲ ଅଛନ୍ତି। କୋରାପୁଟ ପୌରାଞ୍ଚଳର ବିକାଶ ଓ ଉନ୍ନତି ପାଇଁ ବହୁ ବଡ଼ ବଡ଼ ଯୋଜନା ସବୁ କରିଛନ୍ତି ବୋଲି ବହୁ ଆଗରୁ କହି ଆସୁଛନ୍ତି। କିନ୍ତୁ ଏଥିରୁ ଯାହା ମନେ ହେଉଛି କି; ଯୋଜନା ଗୁଡ଼ିକ ସବୁ କାଗଜ କଲମରେ ହିଁ ସୀମିତ ହୋଇ ରହିଯାଇଛି। ସହରର ଜନସଂଖ୍ୟା ସାଙ୍ଗକୁ ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସହର ମଧ୍ୟ ଦେଇ ରାଜପଥ ଯାଇଛି। ଜନସଂଖ୍ୟା ଓ ଗାଡ଼ି ମଟରକୁ ଦୃଷ୍ଟିରେ ରଖି ସହରର ଉନ୍ନତି କିଛି ନାହିଁ ବୋଲି କହିଲେ ଉତ୍ୟକ୍ତି ହେବ ନାହିଁ। ସହରର ବିଭିନ୍ନ ମୁଖ୍ୟ ରାସ୍ତା ଗୁଡ଼ିକର ଅବସ୍ଥା କହିଲେ ନସରେ। ଚାରିଆଡ଼ ଖାଲ ଖମାରେ ପରିପୂର୍ଣ୍ଣ। ଉଚିତ ଭେଡିଂ ଜୋନର ବ୍ୟବସ୍ଥା ନାହିଁ। ଯେଉଁଥି ପାଇଁ କି ଦିନକୁ ଦିନ ରାସ୍ତାର ଉଭୟ ପାର୍ଶ୍ଵ ଜବର ଦଖଲ ଯୋଗୁଁ ସଙ୍କୁଚିତ ହୋଇଜାଉଛି। ଯାହାଯୋଗୁଁ ସାଧାରଣ ଲୋକଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଦୈନିକ ମାର୍କେଟକୁ ଆସୁଥିବା ଲୋକଙ୍କ ପାଇଁ ଉଚିତ ପାର୍କିଂର ବ୍ୟବସ୍ଥା ନଥିବାରୁ ରାସ୍ତା ମଧ୍ୟ ସଙ୍କୁଚିତ ହେଉଛି। ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ ଲାଇଟ ଜଳୁ ନଥିବାରୁ ମଧ୍ୟ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ସମସ୍ତ ୱାର୍ଡର ରାସ୍ତାଘାଟ ଏବଂ ଡ୍ରେନ ଗୁଡ଼ିକ ଦୈନିକ ସଫା ହେଉନଥିବାରୁ ୱାର୍ଡର ବାସିନ୍ଦା ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଏବଂ ଖୋଦ ବିଧାୟକ ଓ ଚେୟାରମ୍ୟାନଙ୍କର ପୌରାଞ୍ଚଳ ଉନ୍ନତି ପାଇଁ ମନବୃତି ଠିକ ନଥିବା କଥା ସହର ବାସୀ ମତ ପ୍ରକାଶ କରୁଛନ୍ତି। ନିଜ ଅଞ୍ଚଳର ଉନ୍ନତି ପାଇଁ ଆମ ନେତା ମାନଙ୍କର ଉପର ସ୍ଥରରେ ଭଏସ ନାହିଁ ବୋଲି ମଧ୍ୟ କହୁଛନ୍ତି। ସହର ମଧ୍ୟ ଦେଇ ଦୈନନ୍ଦିନ ବହୁ ସଂଖ୍ୟକ ଭାରିଯାନ ଚଳ ପ୍ରଚଳ ହେଉଛି। କିନ୍ତୁ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ଏବଂ ବାଇପାସ ନିର୍ମାଣ ଦାବି; ଦାବିରେ ହିଁ ରହିଯାଉଛି। ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରି ଲୋକାର୍ପିତ କଲେ; କିନ୍ତୁ କୋରାପୁଟ ପୌରାଞ୍ଚଳ ବା ସହରରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମୁଖ୍ୟ ବସଷ୍ଟାଣ୍ଡ ଖାଲି ନିର୍ବାଚନୀ ଘୋଷଣାରେ ରହିଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।
ଆଗକୁ ଆସୁଛି ସାଧାରଣ ନିର୍ବାଚନ। ପୁଣି ସାଧାରଣ ଲୋକଙ୍କୁ ନେତାଙ୍କ ମାଳ ମାଳ ପ୍ରତିଶୃତି। ଆଉ କିଛି ଦିନ ପରେ ଲାଗୁ ହେବ କୋର୍ଡ଼ ଅଫ କଣ୍ଡକ୍ଟ। ଏହା ମଧ୍ୟରେ ପୌର ପରିଷଦକୁ ମଧ୍ୟ ପୁରିବ ଦୁଇବର୍ଷ। ଦେଖାଯାଉ ଆଗକୁ ନେତାମାନେ କେତେ ରକ୍ଷା କରୁଛନ୍ତି ନିଜର ପ୍ରତିଶୃତି !