ଓଡ଼ିଶାକୁ ମୋଦିଙ୍କ ନିର୍ବାଚନୀ ଭେଟି: ଅମୃତ ଭାରତ ଯୋଜନାରେ ରାଜ୍ୟର ୨୧ଟି ଷ୍ଟେସନ ସାମିଲ…
k7khabar: ଓଡ଼ିଶାକୁ ବଡ଼ ନିର୍ବାଚନୀ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଓଡ଼ିଶାର ୨୧ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି।ସୂଚନା ଅନୁଯାୟୀ ଆଜି ପ୍ରଧାନମନ୍ତ୍ରୀ ମୋଦୀ ମୋଟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ୫୫୪ ରେଳଷ୍ଟେସନ ଏବଂ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହିସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟି ଟଙ୍କା ବ୍ୟୟରେ ଓଡିଶାର ୫୭ଟି ରେଳ ଷ୍ଟେସନର ପୁନନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରଥମ ପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ ଗୁଡିକରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି।
ପ୍ରଧାନମନ୍ତ୍ରୀ ମୋଦୀ ୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟର ଆହୁରି ୨୧ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯେଉଁଥିରେ ତାଲଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଝାରସୁଗୁଡାରୋଡ, ସମ୍ବଲପୁର, ଟିଟିଲାଗଡ଼, କେସିଙ୍ଗା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ବିମଲାଗଡ଼, ଜାରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗର ଏବଂ ରାୟଗଡ଼ା ଷ୍ଟେସନ ଇତ୍ୟାଦି ରହିଛି। ସୂଚନା ଅନୁଯାୟୀ ମୋଦିଙ୍କ ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୧ଟି ଷ୍ଟେସନ ଏବଂ ୫୨ଟି ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡର ପାସର ବିକାଶପାଇଁ ୨,୩୨୦କୋଟି ଟଙ୍କା ଖର୍ଚ୍ଚହେବ। ଏହି ସବୁ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପରିଣତ କରାଯିବ। ଯେଉଁଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। ଫୁଟ୍ ଓଭର ବ୍ରିଜ୍, ଫୁଡ୍ କୋର୍ଟ, ବହୁସ୍ତରୀୟ ପାର୍କିଂ, ଏସ୍କାଲେଟର୍, ରୁଫ୍ ପ୍ଲାଜା, ସପିଂ ଜୋନ୍ ଭଳି ଅନେକ ବ୍ୟବସ୍ଥା ରହିବ।