ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ…
ଭୁବନେଶ୍ୱର,k7khabar: ଆଜି ରାଜ୍ୟ ସରକାରଙ୍କ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଆବାହକ ରବିନ୍ଦ୍ର କୁମାର ପ୍ରଧାନଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ। ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଉପ ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠୀ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ ରତ କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଛି।
ମୁଖ୍ୟତଃ କର୍ମଚାରୀ ମାନଙ୍କର ସମୂହ ୧୬ ଦଫା ନ୍ୟାର୍ଯ୍ୟ ଦାବି ଗୁଡିକ ଉପସ୍ଥାପନ କରାଯାଇଛି। ପୁ୍ରୁଣା ପେନସନ୍ ଲାଗୁ କରିବା, ପୁରୁଣା ନିୟମ ଅନୁଯାୟୀ ନିଯୁକ୍ତି , ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ନୀତି, ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କନିଷ୍ଠ ସହାୟକ ଦରମା ଲେଭଲ-୯, ସରକାରୀ କର୍ମଚାରୀ ମାନଙ୍କୁ ୨୦ ଲକ୍ଷ୍ୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ, କେନ୍ଦ୍ରୀୟ ହାରରେ ୨୦୧୬ ମସିହାରୁ ଘରଭଡା ପ୍ରଦାନ, ସରେଣ୍ଡର ଲିଭ୍ ପୁନଃ ପ୍ରଚଳନ, ଜନସଂଖ୍ୟା ଓ ବିଭିନ୍ନ ପ୍ରକାରର ଯୋଜନା ଅନୁଯାୟୀ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ପ୍ରତ୍ୟେକ କର୍ମଚାରୀମାନଙ୍କୁ ୪ ବର୍ଷରେ ପ୍ରୋମୋସନ ଅଥବା ବର୍ଦ୍ଧିତ ବେତନ ପ୍ରଦାନ ସହିତ କ୍ୟାଡର ପୁନର୍ଗଠନ, ଆଉଟସୋର୍ସିଂ ନିଯୁକ୍ତି ବନ୍ଦ ସହିତ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ସରକାରୀ ପଦରେ ନିଯୁକ୍ତି, ଠିକା ନିଯୁକ୍ତିରେ ଥିବା ଡାଟା ଏଣ୍ଟ୍ରି ଅପରେଟର ଓ NRHM ଅଧିନରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି, ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ CCA ମାନଙ୍କୁ ଚତୁର୍ଥ ଶ୍ରେଣୀରେ ନିଯୁକ୍ତି ଦିଆଯାଇ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା, ବ୍ରିଟିଶ୍ ଅମଳରୁ ଥିବା ସରକାରୀ କ୍ୱାଟରକୁ ପରିବର୍ତ୍ତନ କରି 3BHK ଘର ପ୍ରଦାନ, ସରକାରୀ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ/ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ AC ସୁବିଧା ଉପଲବ୍ଧ ଓ ସୂଚନା ଆଇନ୍ ଅଭିଯୋଗ ନିମିତ୍ତ ନୂତନ କାର୍ଯ୍ୟାଳୟ ସହ ସବୁ ବିଭାଗ ପାଇଁ ନୂତନ କର୍ମଚାରୀ ନିୟୋଜିତ କରାଯିବା ନେଇ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।
କାର୍ଯ୍ୟକ୍ରମ ଶେଷରେ ସମିତିର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ପାତ୍ର, ଅଧ୍ୟକ୍ଷ ସୁନନ୍ଦ କାନୁନଗୋ, ରାଜ୍ୟ ସଭାପତି ନାରାୟଣ ଦାଶ, ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ଭାବେ ଜ୍ଞାନ ରଞ୍ଜନ ଦାସଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି।