ଲୋୟର ପିଏମଜିରେ ହଜାର ହଜାର ମତ୍ସ୍ୟଜୀବୀ: ବିଭିନ୍ନ ଦାବିକୁ ନେଇ ଗଣ ଆନ୍ଦୋଳନ…
ଭୁବନେଶ୍ୱର,k7khabar: ଲୋୟର ପିଏମ୍ଜିରେ ରାଜ୍ୟ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ। ହଜାର ହଜାର ମତ୍ସ୍ୟଜୀବୀ ନିଜର ୬ଦଫା ଦାବିକୁ ନେଇ ଆନ୍ଦୋଳନ ରଖିଛନ୍ତି। ଗତ ରାତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ବସ୍ରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅବହେଳିତ ଓ ଶୋଷିତ ଅବସ୍ଥାରେ ରାଜ୍ୟର ମତ୍ସ୍ୟଜୀବୀମାନେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନର ନେତାମାନେ।
ଦୀର୍ଘଦିନ ଧରି ବାରମ୍ବାର ଦାବି କରିବା ସତ୍ବେ ମଧ୍ୟ ସରକାର ସେମାନଙ୍କର ଦାବିକୁ ଅଣଦେଖା କରି ଆସୁଛନ୍ତି। ତେଣୁକରି ମତ୍ସ୍ୟଜୀବୀମାନେ ତାଙ୍କର ୬ଦଫା ଦାବିକୁ ନେଇ ଲୋୟର ପିଏମଜିରେ ଗର୍ଜୁଛନ୍ତି। ସେମାନଙ୍କର ମୁଖ୍ୟ ଦାବି ହେଉଛି ଡିଜେଲ ମୂଲ୍ୟରେ ସବସିଡି। ସବୁ ରାଜ୍ୟ ସରକାର ଡିଜେଲରେ ସବସିଡି ଦେଉଥିବା ବେଳେ ଓଡ଼ିଶା ସରକାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁ ନାହାନ୍ତି। ଯାହା ଫଳରେ କି ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ବାଧ୍ୟ ହୋଇ ଏହି ଆନ୍ଦୋଳନ କରାଯାଉଛି। ପାରାଦୀପ, ଧାମରା, ଚିଲିକା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ସରକାର ସେମାନଙ୍କ ଦାବି ନମାନିବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି। ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ବନ୍ଦ ରହିବା ସମୟରେ ଭତ୍ତା ପ୍ରଦାନ, ରାସନ, ନଦୀ ମୁହାଣ ଗୁଡ଼ିକର ନିୟମିତ ଡ୍ରେଜିଂ, ମାଛ ଓ ମାଛ ଜାଆଁଳର ସୁରକ୍ଷା, କଇଁଛ ସୁରକ୍ଷା ଆଳରେ ପୋଲିସର ଶାରିରୀକ ଓ ମାନସିକ ଅତ୍ୟାଚାର ବନ୍ଦ, ମତ୍ସ୍ୟଜୀବୀ କାର୍ଡ ଓ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠିର ବ୍ୟବସ୍ଥା ଇତ୍ୟାଦି ଦାବି ଗୁଡ଼ିକୁ ତୁରନ୍ତ ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।