ଲୋକାର୍ପିତ ହେଲା ମିଶନଶକ୍ତି ବଜାର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବା ସହ କଲେ ପ୍ରଥମ ବହିନି…
ଭୁବନେଶ୍ୱର,k7khabar: ରାଜଧାନୀର ଡେଲ୍ଟା ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମିଶନ ଶକ୍ତି ବଜାର। ରାଜ୍ୟର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରିଛି ଏହି ବଜାର। ଏହି ବଜାରର ପରିଚାଳନା ଦାୟିତ୍ବ ମିଳିଛି ଖୋର୍ଦ୍ଧାର ମାତୃଶକ୍ତି ଫାର୍ମର୍ସ ପ୍ରଡୁସର୍ସ କମ୍ପାନୀକୁ।
ଆଜି ମୁଖ୍ୟମନ୍ତ୍ରୀ ଏହି ବଜାରକୁ ଲୋକାର୍ପିତ କରିବା ସହ ପ୍ରଥମ ଗ୍ରାହକ ଭାବେ ଏକ ପିତଳ ସାମଗ୍ରୀ କିଣିଛନ୍ତି। ଏହାସହ ବଜାରକୁ ବୁଲି ସମସ୍ତ ସାମଗ୍ରୀ ଦେଖିଥିଲେ। ଏହି ବଜାରରେ ଲୋକେ ମିଶନ ଶକ୍ତି ମାଆ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଝାଡୁ, କଂସା-ପିତଳ ସାମଗ୍ରୀ, ବେତ ତିଆରି ସାମଗ୍ରୀ, ସବାଇ ଘାସରେ ନିର୍ମିତ ସାମଗ୍ରୀ, ମାଟି ସାମଗ୍ରୀ, ଡୋକ୍ରା ସାମଗ୍ରୀ, ମିଲେଟ୍ସ ଜାତୀୟ ଉତ୍ପାଦ, ପଟ୍ଟଚିତ୍ର, ବିଭିନ୍ନ ପ୍ରକାର ପେଣ୍ଟିଂ, ହଳଦି, ଝୁଣା,ମହୁ, କୋରାପୁଟ କଫି ଏବଂ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ସହ ପ୍ରାୟ ୨୮ପ୍ରକାରରୁ ଉର୍ଦ୍ଧ୍ବ ଉତ୍ପାଦ କିଣିବାର ସୁବିଧା ପାଇବେ ଗ୍ରାହକ। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଗ୍ରାହକଙ୍କୁ ମିଳିବ କଣିବା ସୁବିଧା ।
ରାଜ୍ୟର ସମସ୍ତ ମିଶନ ଶକ୍ତି ମାଆମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଏହି ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଆ ମାନଙ୍କ ଉତ୍ପାଦ ଏହି ବଜାର ମାଧ୍ୟମରେ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହି ପଦକ୍ଷେପ।