ନୂଆ ରୂପରେ ଲୋକାର୍ପିତ ହେଲା ବରମୁଣ୍ଡା ବସ ଟର୍ମିନାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ…
ଭୁବନେଶ୍ବର,k7khabar: ଦୀର୍ଘଦିନ ଅପେକ୍ଷାର ଘଟିଛି ଅନ୍ତ। ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ଠାରେ ନବନିର୍ମିତ ବାବା ସାହେବ ଭୀମ୍ରାଓ ଆମ୍ବେଦକର ଅତ୍ୟାଧୁନିକ ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି।
ରାଜ୍ୟର ଏହି ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡଟି ପୂର୍ବରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନାମରେ ପରିଚିତ ଥିଲା। ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ ଓ ବସ କର୍ମଚାରୀ। ମୁଖ୍ୟତଃ ବର୍ଷା ଦିନେ ହେଉଥିଲେ ହନ୍ତସନ୍ତ। ଯାହା ବି ହେଉ ଦୀର୍ଘ ଦିନର ଅପେକ୍ଷା ପରେ ଆଜି ନୂଆ ରୂପରେ ଝଲସିଲା ବରମୁଣ୍ଡା ବସ୍ ଷ୍ଟାଣ୍ଡ। ପ୍ରତ୍ୟେକ ଦିନ ଶହଶହ ବସ୍ ଏବଂ ହଜାର ହଜାର ଯାତ୍ରୀ ଏହି ଷ୍ଟାଣ୍ଡରୁ ରାଜ୍ୟ ତଥା ରାଜ୍ୟ ବାହାରର କୋଣ ଅନୁକୋଣକୁ ଯାତାୟତ କରିଥାଆନ୍ତି। ରାଜ୍ୟର ବୃହତ ବସ ଟର୍ମିନାଲ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଏହି ବସ୍ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହ ସାରା ଓଡିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦେଶର ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମ୍ରାଓ ଆମ୍ବେଦକରଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ବସ୍ ଟର୍ମିନାଲକୁ ତାଙ୍କ ନାମରେ ରାଜ୍ୟ ସରକାର ନାମିତ କରିଛନ୍ତି।
ଏହି ବସ୍ ଟର୍ମିନାଲ୍ ଭିତରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ସପିଂ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ଶୀତତାପ ନିୟନ୍ତ୍ରିତ ପ୍ରତିକ୍ଷାଳୟ, ପୁଲିସ୍ ଆଉଟ ପୋଷ୍ଟ, ବସ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ, ମିଶନ ଶକ୍ତି କାଫେ ଇତ୍ୟାଦି ସମସ୍ତ ପ୍ରକାର ସୁବିଧା ରହିଛି। ଯାତ୍ରୀମାନେ ଏହି ଟର୍ମିନାଲ ଭିତରେ ଏୟାରପୋର୍ଟ ଭଳି ଅନୁଭୂତି ପାଇ ପାରିବେ।