୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା…
ନୂଆଦିଲ୍ଲୀ,K7khabar: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଆଜି ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ପ୍ରଥମ ତାଲିକାରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।
ପୁଣି ଥରେ ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ, ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ, ରାଜନାଥ ସିଂହ ଲକ୍ଷ୍ନୌରୁ, ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ, ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କୋର୍ବାରୁ ସରୋଜ ପାଣ୍ଡେ ଓ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ ପ୍ରାର୍ଥୀ ହେବେ। ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ପଶ୍ଚିମବଙ୍ଗରୁ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ମଧ୍ୟ ପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମରୁ ୧୧, ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ରୁ ୧୧, ଦିଲ୍ଲୀରୁ ୫, ଜମ୍ମୁ ଓ କଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳ ପ୍ରଦେଶରୁ ୨, ଗୋଆରୁ ୧, ତ୍ରିପୁରା ୧, ଆଣ୍ଡାମାନରୁ ୧ ଓ ଡାମନ ଡିଉରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।
ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଥିବା ବେଳେ ୫୦ରୁ କମ୍ ବୟସର ୪୭ ଜଣ ବ୍ୟକ୍ତି ରହିଛନ୍ତି। ସେହିପରି ଅନୁସୂଚିତ ଜାତିରୁ ୨୭ ଜଣ ପ୍ରାର୍ଥୀ ଥିବା ବେଳେ ଅନୁସୂଚିତ ଜନଜାତିରୁ ୧୮ ଓ ଓବିସିରୁ ୫୭ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩୪ ଜଣ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି, ସେଠାରେ ଏକରକମ ନିର୍ବାଚନୀ ବିଗୁଲ ବାଜିଛି। ତେଣୁ ସେଠାରେ ରାଜନୈତିକ ଉଷ୍ଣତା ବଢ଼ିବା ଆରମ୍ଭ ହେବ ନିଶ୍ଚିତ। ସୂଚନା ଅନୁଯାୟୀ ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପାଇଁ ଲକ୍ଷ୍ୟ ରଖିଛି।