ସବଡ଼ିଭିଜନ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ,ଗାଡି ଚଳାଚଳ ବାଧାପ୍ରାପ୍ତ…
କୋରାପୁଟ,K7khabar: ଆଜି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଳକକୁ ସବଡ଼ିଭିଜନ କରିବା ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି। ରାୟଗଡ଼ାରୁ କୋରାପୁଟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬କୁ ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଘଠନ ପକ୍ଷରୁ ଅବରୋଧ କରି ରଖାଯାଇଛି। ଯାହା ଫଳରେ କି ରାୟଗଡାରୁ କୋରାପୁଟ, ଜୟପୁର ଓ ମାଲକାନଗିରିକୁ ଗାଡି ଚଳା ଚଳ ସମ୍ପୂର୍ଣ ଭାବେ ଠପ୍ ହୋଇଯାଇଛି।
ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ହେବ ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଗଠନ ଲକ୍ଷ୍ମୀପୁର ବ୍ଲକକୁ ସବଡ଼ିଭିଜନ କରିବା ପାଇଁ ଦାବି କରି ଆସୁଛନ୍ତି। ଏହି ଦାବିକୁ ସମର୍ଥନ ଜଣାଇ ଲକ୍ଷ୍ମୀପୁରର ସମସ୍ତ ଦୋକାନ ବଜାର ମଧ୍ୟ ଆଜି ବନ୍ଦ ରହିଛି। କିନ୍ତୁ ବାରମ୍ବାର ଦାବି କରିବା ସତ୍ବେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେଲୁ ବୋଲି ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।
ଲକ୍ଷ୍ମୀପୁରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ଅନୁଷ୍ଠାନ ରହିଥିଲେ ମଧ୍ୟ ସବଡ଼ିଭିଜନ ମାନ୍ୟତା ପ୍ରଦାନ ନକରିବାଟା ସରକାର, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କର ବୈମାତୃକ ମନୋଭାବ ବୋଲି ଅଭିଯୋଗ କରାଯାଇଛି। ଅନ୍ୟପଟେ ରାଜପଥ ଅବରୋଧ ଯୋଗୁଁ ଘଣ୍ଟା ଘଣ୍ଟା ଧରି ସହ ସହ ଗାଡି ଅଟକି ରହିବା ସହ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।