ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦି: ରାଜ୍ୟକୁ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି…
ଚଣ୍ଡିଖୋଲ,K7khabar: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାଜପୁରର ଚଣ୍ଡିଖୋଲ ଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟବାସୀଙ୍କୁ ଦେଇଛନ୍ତି ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭେଟି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ଆଣବିକ ଶକ୍ତି, ରାଜପଥ ଏବଂ ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ। ମୁଖ୍ୟତଃ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ୮ ଥାକିଆ ରାସ୍ତାର ଶିଳାନ୍ୟାସ। ତୈଳ ଓ ଗ୍ୟାସ, ରେଳବାଇ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ପାରାଦୀପ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ବିଶୋଧନାଗାର ଠାର ମନୋଇଥଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ପାରାଦୀପ ଠାରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ ୩୪୪ କି.ମି ପାଇପ୍ ଲାଇନର ଉଦଘାଟନ ମଧ୍ୟ କରିଛନ୍ତି। ବାଂଶପାଣି-ଦୈତାରୀ-ଟମକା-ଯଖପୁରା ୧୬୨ କିଲୋମିଟର ରେଳ ଲାଇନ୍ ଦୋହରୀକରଣର ଉଦଘାଟନ।ପୁରୀ ଠାରୁ ଆନନ୍ଦ ବିହାର ମଧ୍ୟରେ କେନ୍ଦୁଝରଗଡ଼ ଦେଇ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେନରୁ ଶୁଭାରମ୍ଭ ସହ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଏବଂ ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବା ଇତ୍ୟାଦିର ଶୁଭାରମ୍ଭ ଆଜି କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କରି କହିଛନ୍ତି କି; ରାଜ୍ୟକୁ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଭେଟି ଦେଇଛନ୍ତି ଏହା ବହୁତ ଖୁସିର କଥା, ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ମୋଦୀଙ୍କ ନେତୃତ୍ୱରେ ଭାରତ ବର୍ତ୍ତମାନ ପଞ୍ଚମ ବୃହତ୍ତ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ଆଗକୁ ଖୁବଶୀଘ୍ର ଭାରତ ତୃତୀୟ ବୃହତ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହେବ ନିଶ୍ଚିତ। ବର୍ତ୍ତମାନ ଓଡ଼ିଶା ପୂର୍ବ ଭାରତର ଉତ୍ପାଦନ ହବ୍ ହେବାକୁ ଯାଉଛି। ଆଗକୁ ଓଡ଼ିଶା ପାଇଁ ଅନେକ ଗୁଡ଼ିଏ କାମ କରିବାକୁ ବାକିଅଛି। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି।
ଏହି ସରକାରୀ କାର୍ଯ୍ୟକ୍ରମ ପରେ ୪ଟା ୧୫ରେ ଏକ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ। ସଭାରେ ବିଜେପିର ସମସ୍ତ କର୍ମୀ, ନେତା, ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିଛନ୍ତି।