ବିଜେପି ସହ ବିଜେଡିର ମେଣ୍ଟ: ଭି.କେ ପାଣ୍ଡିଆନଙ୍କ ଭିତିରି ଖେଳ!
ଭୁବନେଶ୍ୱର,K7khabar: ବିଗତ ଦୁଇ-ତିନି ମାସ ଧରି ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ପୁଣି ଥରେ ମେଣ୍ଟ ଗଠନକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଉଭୟ ଦଳର ବରିଷ୍ଠ ନେତାମାନେ ଅଲଗା ଅଲଗା କରି ପ୍ରଥମଥର ପାଇଁ ଏନେଇ ଆନୁଷ୍ଠାନିକ ଭାବେ ଆଲୋଚନା କରିଛନ୍ତି। ଦିଲ୍ଲୀରେ ବିଜେପିର କୋର୍ ଟିମ୍ ସହ ରାଜ୍ୟର ବିଜେପି ନେତାମାନେ ବିଚାରବିମର୍ଶ କରିଛନ୍ତି। ଏପଟେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଅନୁଗତ ଭିକେ ପାଣ୍ଡିଆନ ମଧ୍ୟ ଆଲୋଚନା କରିଛନ୍ତି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ବିଜେପି ସହ ନିର୍ବାଚନୀ ମେଣ୍ଟ ହେବା ନେଇ ସୂଚନା ମଧ୍ୟ ଦେଇଥିବା ଜଣାପଡ଼ିଛି। ହେଲେ ରାଜ୍ୟର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଓ ବିଜେଡି କେତେ ସିଟରେ ଲଢ଼ିବେ ତାହା ଜଣା ପଡ଼ିନଥିବା ବେଳେ କେଉଁ ଫର୍ମୂଲାରେ ରାଜ୍ୟରେ ଦୁଇ ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବ ତାହା ମଧ୍ୟ ଜଣାପଡ଼ିନାହିଁ।
ଯାହା ବି ହେଉ ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଫେରିବ ବିଜେଡି। ହେଲେ ଆଉଥରେ ବିଜେପିର ସହଯୋଗୀ ହୋଇ କିପରି ନିର୍ବାଚନ ମଇଦାନକୁ ଓହ୍ଲାଇବ ଏବଂ କେଉଁ କାରଣ ପାଇଁ ବିଜେପି ସହ ଆସନ ବୁଝାମଣା କରିବାକୁ ବାଧ୍ୟ ହୋଇଛି, ନା ପାଣ୍ଡିଆନଙ୍କର କିଛି ଭିତିରି ଷଡ଼ଯନ୍ତ୍ର ଅଛି; ତାହାର ପ୍ରକୃତ କାରଣ ଦେବାରେ ବିଜେଡି ବିଫଳ ହୋଇଛି। କାରଣ ଭି.କେ ପାଣ୍ଡିଆନ ସଚିବ ପଦରୁ ଇସ୍ତଫା ଦେବା ଓ ବିଜେଡିରେ ନେତା ଭାବେ ସାମିଲ ହେବା ପରଠାରୁ ବିଭିନ୍ନ ମହଲରେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ବିଜେଡି ରାଜ୍ୟବାସୀ ଓ ଲକ୍ଷ ଲକ୍ଷ ଦଳୀୟ ସମର୍ଥକ ବା କର୍ମୀଙ୍କୁ କ’ଣ ବୁଝେଇକି ମେଣ୍ଟର ଘୋଷଣା କରିବ ତାକୁ ନେଇ ଦଳର ବିଶିଷ୍ଟ ରଣନୀତିଜ୍ଞମାନେ ମଧ୍ୟ ବର୍ତ୍ତମାନ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବିଶେଷ କରି ନବୀନ ନିବାସରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଜେଡି ପକ୍ଷରୁ ଯେଉଁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି ସେଥିରୁହିଁ ବିଜୁ ଜନତା ଦଳର ଅସହାୟତା ସମ୍ପୂର୍ଣ୍ଣ ଭାବେ ବାରି ହେବା ସହ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହି ଆସିଥିବା ବିଜେଡି ନିଜର ପକ୍ଷ ରଖିବାକୁ ଯାଇ ଲୋକଙ୍କୁ ଭୁଆଁ ବୁଲାଇବା ଭଳି ଯେଉଁ କାରଣ ଦେଇଛି ତାହା ହାସ୍ୟାସ୍ପଦ। ମୁଖ୍ୟତଃ ଦୁଇ ଦଳର ବରିଷ୍ଠ ନେତାମାନଙ୍କ ସହ ଦଳର ଶୀର୍ଷ ନେତୃତ୍ୱଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ଦିଆଯାଥିବା ବିବୃତ୍ତି ହିଁ ଶାସକ ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଛି ।