ରାତି ପାହିଲେ ମହାଶିବରାତ୍ରି: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ପ୍ରସ୍ତୁତି ଶେଷ…
ଭୁବନେଶ୍ୱର,K7khabar: ରାତି ପାହିଲେ ମହାଶିବରାତ୍ରି (ଜାଗର ଯାତ୍ରା)। ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ଜାଗର ପାଇଁ ଫୁଲ ଓ ଆଲୋକ ମାଳାରେ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦେଇଛନ୍ତି ମନ୍ଦିର ପ୍ରଶାସନ। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି, ୩ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ। ରାତି ୧୦ରୁ ୧୧ଟା ମଧ୍ୟରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।
ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଏମସି ଅତିରିକ୍ତ କମିସନରଙ୍କୁ ଜାଗର ପରିଚାଳନା ଦାୟିତ୍ବ ଦିଆଯାଇଥିବା ବେଳେ ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମନ୍ଦିରର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି। ତିନୋଟି ସିଫ୍ଟରେ ପୂରା ଏକାମ୍ର କ୍ଷେତ୍ରର ସଫେଇ କରାଯିବ। ସେଥିପାଇଁ ବଡ଼ଦାଣ୍ଡ ସହ ମନ୍ଦିର ବେଢ଼ା ଭିତର ଏବଂ ମନ୍ଦିର ବାହାରର ଚତୁର୍ପାର୍ଶ୍ଵରେ ଅଧିକ ସଫେଇ କର୍ମୀ ନିୟୋଜିତ କରିବାକୁ ବିଏମସି ପକ୍ଷରୁ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିନ୍ଦୁସାଗରର ଆଲୋକୀକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵ ଲିଚୁ ମାଳ ଲଗାଯାଇ ସୌନ୍ଦର୍ଜିକରଣ କରାଯାଇଛି।
ଭୁବନେଶ୍ୱର ମେୟରଙ୍କ ନିର୍ଦ୍ଦେଶରେ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ଜିକରଣ କରାଯାଇଛି। କେବଳ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ବେଢ଼ା, କେଦାରଗୌରୀ ମନ୍ଦିର ଏବଂ ମୁକ୍ତେଶ୍ଵର ମନ୍ଦିର ମଧ୍ୟ ସଜାଯାଇଛି। ମେକାନିକାଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ୨ଟି ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଭ୍ରାମ୍ୟମାଣ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ମହାଦୀପ ଉଠିବା ପରେ ୯ ତାରିଖ ସକାଳ ପର୍ଯ୍ୟନ୍ତ ତିନି ସିଫ୍ଟରେ ସଫେଇ କର୍ମୀ ନିୟୋଜିତ ରହିବେ। ଯେଉଁମାନେ ନିୟମିତ ସଫେଇ କାର୍ଯ୍ୟ ଜାରି ରଖିବେ । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ କାର୍ଯ୍ୟକୁ ନିୟମିତ ତଦାରଖ କରିବେ ବିଏମସି ଜୋନାଲ ଡେପୁଟି କମିସନର।