ସ୍ତ୍ରୀ ନାଁରେ ସ୍ବାମୀର ଦଲାଲି: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମିଛକହି ଟଙ୍କା ଆଦାୟ…
କୋରାପୁଟ,K7khabar: ସ୍ତ୍ରୀ ନାଁରେ ସ୍ବାମୀ କରୁଛି ଦଲାଲି। ଆଜିକାଲି ଏହା କିଛି ନୂଆ କଥା ନୁହେଁ। ବର୍ତ୍ତମାନ ଏହା ଏକ ଟ୍ରେଣ୍ଡ ପାଲଟିଛି। ସ୍ତ୍ରୀ ଯଦି ସରପଞ୍ଚ କି ଜିଲ୍ଲା ପରିଷଦ କିମ୍ବା ୱାର୍ଡ ମେମ୍ବର ହୁଅନ୍ତି ତେବେ ତାଙ୍କ ସ୍ବାମୀ ହେଉଛନ୍ତି ସର୍ବେସର୍ବା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବ୍ଲକର ଉମରି ପଞ୍ଚାୟତ ଅଞ୍ଚଳରେ।
ରାଜ୍ୟର ମହିଳା ମାନେ ଆତ୍ମ ନିର୍ଭରଶୀଳ ହେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। SHG ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରି ମହିଳା ନିଜ ଗୋଡ଼ରେ ନିଜେ ଠିଆ ହେବ ଓ ସ୍ବାବଲମ୍ବୀ ହେବ ବୋଲି ବହୁ ଯୋଜନା କରାଯାଉଛି। କିନ୍ତୁ ଏହାର ଫାଇଦା ଯେତିକି ଏହି SHG ମହିଳା ମାନଙ୍କୁ ମିଳୁଛି ତାହାଠାରୁ ବେଶି ଫାଇଦା ମାରୁଛନ୍ତି କିଛି ମଧ୍ୟସ୍ତି। ଆଜି ତାହାର ଉଦାହରଣ ସାଜିଛି ଏହି ଉମରି ପଞ୍ଚାୟତ।
ଉମରି ପଞ୍ଚାୟତରେ ପାଖାପାଖି ୨୦ ରୁ ୨୫ଟି ସ୍ଵୟଂ ସହାୟକ ଗୋଷ୍ଠୀ ଅଛନ୍ତି। ଏହି ଗୋଷ୍ଠୀର ମହିଳାମାନେ ବର୍ଷକ ଯାକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଥାଆନ୍ତି। ଏହି ପଞ୍ଚାୟତ ମଧ୍ୟରେ କୋଲାବ ଜଳ ଭଣ୍ଡାର ଥିବାରୁ ଗୋଷ୍ଠୀର ମହିଳାମାନେ ସାଧାରଣତଃ ମାଛ ଏବଂ ପନିପରିବା ଚାଷ ଉପରେ ନିର୍ଭର କରନ୍ତି। ତେଣୁ ସେହି ବାବଦରେ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଏହି ପଞ୍ଚାୟତର SHG ମହିଳା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସେମାନଙ୍କୁ ସହାୟତା କରିବା ପାଇଁ ଏହି ପଞ୍ଚାୟତରେ ଓଡ଼ିଶା ଲାଇଭଲିହୁଡ଼ ମିଶନ ଜରିଆରେ ରଜନୀ ନାୟକ ନାମକ ଜଣେ CRP ମେମ୍ବରଙ୍କୁ ରଖାଯାଇଛି। ଯିଏକି ଏହି SHG ଗୁଡ଼ିକର ସମସ୍ତ ଖାତାପତ୍ର କାର୍ଯ୍ୟ ସମ୍ପାଦନ କରିବା କଥା। କିନ୍ତୁ ସୂଚନା ଅନୁଯାୟୀ CRP ମେମ୍ବର ରଜନୀ ନାୟକ ଏହି ସମସ୍ତ କାର୍ଯ୍ୟ କରିବା ବଦଳରେ ତାଙ୍କ ସ୍ବାମୀ ଜଗତରାୟ ନାୟକ ଅଧିକାଂଶ କାର୍ଯ୍ୟ କରନ୍ତି। ସେ ନିଜକୁ ମିଶନ ଶକ୍ତି କର୍ମଚାରୀ କହି ବିଭିନ୍ନ ସମୟରେ ଲୋକଙ୍କୁ ଠକୁଥିବାର ସୂଚନା ମଧ୍ୟ ଆସିଛି।
କିଛିଦିନ ପୂର୍ବରୁ ରାଜ୍ୟ ସରକାର ମତ୍ସ୍ୟଜୀବୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଯାହାଫଳରେ କି ଏହି ପଞ୍ଚାୟତର SHG ମହିଳା ମାନେ ୧୦ ହଜାର ଟଙ୍କାର ସହାୟତା ପାଇଥିଲେ। ସେହି ଟଙ୍କାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ସିଧାସଳଖ ଗୋଷ୍ଠୀ ଆକାଉଣ୍ଟକୁ ପଠାଇ ଥିଲେ। କିନ୍ତୁ ଟଙ୍କା ଆସିବା ପରେ ଏହି ଜଗତରାୟ ନାୟକ ନାମକ ବ୍ୟକ୍ତି ଜଣକ ସମସ୍ତ ଗୋଷ୍ଠୀ ମାନଙ୍କୁ କାଗଜପତ୍ର କାର୍ଯ୍ୟ ବାବଦରେ ୫ ହଜାର ଲେଖାଏଁ ଟଙ୍କା ମାଗିଥିଲେ। କହିଥିଲେ କି ମୁଁ ତୁମ ମାନଙ୍କର କାଗଜପତ୍ର କରିକି ପଠାଇଥିଲି ବୋଲି ତମେ ଏହି ଟଙ୍କା ପାଇଛ। ତେଣୁ ତମେମାନେ ଦେଲେ ମୁଁ ଉପର ଅଫିସରଙ୍କୁ ମଧ୍ୟ ଦେବି। ନଦେଲେ ପଛରେ ହଇରାଣ ହେବ ବୋଲି କହିଥିଲେ। ସେଥିପାଇଁ ଡରିକି ଗୋଷ୍ଠୀ ମହିଳାମାନେ ତାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଲେ ବୋଲି କହିଛନ୍ତି।
ଅନ୍ୟପଟେ ଆମେ ଜିଲ୍ଲା ମିଶନ ଶକ୍ତି ଅଧିକାରୀଙ୍କୁ ସେହି ବ୍ୟକ୍ତି ବିଷୟରେ କହିବାରୁ; ସେହି ବ୍ୟକ୍ତି ମିଶନ ଶକ୍ତି ନାଁରେ ଫ୍ରଡ଼ କରୁଛି ବୋଲି କହିବା ସହ ସେହି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ତେଣୁ ଏଠାରେ କହିବା କଥା ହେଉଛି; ବାଡ଼ ଯଦି ଫସଲ ଖାଇବ, ତେବେ ଫସଲ ଜଗିବ କିଏ।