ଘୋଷଣା ହେଲା ୨୦୨୪ ନିର୍ବାଚନ ତାରିଖ; ଲାଗୁହେଲା ଆଦର୍ଶ ଆଚରଣ ବିଧି…
ନୂଆଦିଲ୍ଲୀ,K7khabar: ଅପେକ୍ଷାର ହେଲା ଅନ୍ତ। ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ। ଦିଲ୍ଲୀ ବିଜ୍ଞାନ ଭବନରେ ସ୍ଵତନ୍ତ୍ର ପ୍ରେସମିଟ୍ ମାଧ୍ୟମରେ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ଓଡ଼ିଶାରେ ଆସନ୍ତା ମେ’ ୧୩ ଓ ୨୦ ତାରିଖରେ ହେବ ନିର୍ବାଚନ। ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ପୁରା ଟିମ୍ ଉପସ୍ଥିତ।
୨୦୨୪ର ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆଜି ବଜାଇଲେ ବିଗୁଲ। ନିର୍ବାଚନ ପୂର୍ଣ୍ଣ ପ୍ରସ୍ତୁତି ସଂପର୍କରେ ବିସ୍ତ୍ରୁତ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର। ନିର୍ବାଚନ କେତେ ପର୍ଯ୍ୟାୟରେ ହେବ ? କେଉଁ ରାଜ୍ୟରେ କେବେ ହେବ ? କେବେ ହେବ ଭୋଟ୍ ଗ୍ରହଣ ଏବଂ କେବେ ହେବ ଗଣତି ? ଏହିସବୁ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଚଳିତ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ୧୬ ତାରିଖରେ ଶେଷ ହେଉଛି। ତେଣୁ ତାହା ପୂର୍ବରୁ ନୂଆ ଲୋକସଭା ଗଠନ ହେବା ସହ ନୂଆ ସରକାର ମଧ୍ୟ ଗଠନ ହେବ।
ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ ହେବ। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ରହିବେ। ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର। ୧୮ ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଉର୍ଦ୍ଧ୍ବ ବୟସ ଥିବା ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି। ଦେଶରେ ମୋଟ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ଅଛନ୍ତି।
ଏହା ବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି କି; ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର। ଘରେ ଫର୍ମ ପହଞ୍ଚାଇ ଦିଆଯିବ ଓ ପରେ ସଂଗ୍ରହ କରାଯିବ। ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ। ଖବର କାଗଜ, ସୋସିଆଲ ମିଡ଼ିଆ ଏବଂ ଟିଭି ମାଧ୍ୟମରେ ୩ ଥର ଲେଖାଏଁ ନିଜର ଅପରାଧିକ ବିବରଣୀ ପ୍ରସାର କରିବେ। ପ୍ରତ୍ୟେକ ରାଜନୈତିକ ଦଳବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ। କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ; ତାହାର ଉପଯୁକ୍ତ କାରଣ ମଧ୍ୟ ଦର୍ଶାଇବେ।
ଦେଖନ୍ତୁ ଓଡ଼ିଶାର ତାଲିକା…odisha assembly constituency schedule