ଜଗତସିଂହପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ହାରିବାର ଭିତିରି ରହସ୍ୟ…

👇खबर सुनने के लिए प्ले बटन दबाएं

ଜଗତସିଂହପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ହାରିବାର ଭିତିରି ରହସ୍ୟ…

ଜଗତସିଂହପୁର,K7khabar: ଦୀର୍ଘ ୨୫ ବର୍ଷ ପରେ ଗତ ସାଧାରଣ ନିର୍ବାଚନକୁ ଓଡ଼ିଶାର ଭୋଟର ଏକ ରୋଚକ ସ୍ଥିତିରେ ପହଞ୍ଚାଇଲେ।ଏକଦା ରାଜ୍ୟ ଏବଂ ଜାତୀୟ ରାଜନୀତିରେ ଓଡ଼ିଶାକୁ ବିଜୁ ଜନତା ଦଳର ଗଡ଼ ବୋଲି କୁହାଯାଉଥିବା ବେଳେ ଆଜି ତାହାର ପତନ ଘଟିଛି। ଯାହାକୁ ନେଇ ଆଜି ସାଧାରଣ ଜନତାଙ୍କ ମଧ୍ୟରେ ଓ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଏବଂ ମତାନ୍ତର ଚାଲିଛି। କିଏ କେତେବେଳେ କାହା ମୁଣ୍ଡରେ ଦୋଷ ଲଦୁଛି ତ ଆଉ କିଏ ଇଭିଏମ ଟାମ୍ପରିଙ୍ଗ ହୋଇଥିଲା ବୋଲି କହୁଛି। କିନ୍ତୁ ସେ ଯାହା ବି ହେଉ; କେଉଁଠି ନା କେଉଁଠି ବିଗତ ୨୫ ବର୍ଷ ବିଜେଡି ଶାସନରେ କିଛି ନା କିଛି ଦୋଷ ତୃଟି ଥିଲା ବୋଲି ଆଜି ସାଧାରଣ ଜନତା ତାକୁ ପରିତ୍ୟାଗ କଲେ ! ହେଲେ ଏହାରି ଭିତରେ ବଳୀ ପଡ଼ିଗଲେ ରାଜ୍ୟର ବହୁ ହେବିୱେଟ ନେତା। ଯେଉଁମାନେ କି ବର୍ତ୍ତମାନ ଘରେ ବସି କରୁଛନ୍ତି ଆତ୍ମ ସମୀକ୍ଷା।

ରାଜ୍ୟର ସେହି ହେବିୱେଟ ନେତା ମାନଙ୍କ ମଧ୍ୟରୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ହେଉଛନ୍ତି ଅନ୍ୟତମ। ଯିଏକି ବର୍ତ୍ତମାନ ଜିଲ୍ଲାର ବରିଷ୍ଠ ନେତା। ଲଗାତାର ୨୦୦୯ ରୁ ତିନି ତିନିଥର ବିଧାୟକ ହୋଇଛନ୍ତି। ଦୁଇଥର ବାଲିକୁଦା-ଏରସମା ଓ ଗତଥର ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ। କଲେଜ ରାଜନୀତିରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଶାନ୍ତ ମୁଦୁଲି। ସେବେଠାରୁ ରାଜନୀତିରେ କେବେ ହାରିବା ସ୍ବାଦ ସେ ଚାଖି ନଥିଲେ। କିନ୍ତୁ ଏଥର ସାଧାରଣ ନିର୍ବାଚନରେ ତାଙ୍କୁ ହାରିବାର ସ୍ଵାଦ ଚାଖିବାକୁ ପଡ଼ିଛି। ତେବେ ରାଜନୈତିକ କ୍ୟାରିଅରରେ କେବେ ବି ହାରିନଥିବା ପ୍ରଶାନ୍ତ; ଆଜି ପରାଜୟର ଆତ୍ମ ସମୀକ୍ଷା କରୁଛନ୍ତି।

ପ୍ରଶାନ୍ତ ମୁଦୁଲି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଛାଡ଼ି ଗତ ୨୦୧୯ ସାଧାରଣ ନିର୍ବାଚନରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀକୁ ଆସିଥିଲେ। ତାହା ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ସ୍ଵର୍ଗତ ବିଷ୍ଣୁ ଦାସ ୨୦୦୯ ରେ ବିଜୟ ଲାଭ କରି ବିଧାୟକ ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଚିରଞ୍ଜୀବ ବିଶ୍ଵାଳଙ୍କ ଠାରୁ ୨୦୧୪ ନିର୍ବାଚନରେ ହାରି ବିଧାୟକ ପଦ ହରାଇଥିଲେ। ସେହି ସମୟରେ ନିଜର ଅତ୍ୟଧିକ ଆତ୍ମ ବିଶ୍ଵାସ ଏବଂ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀଙ୍କ ନାପସନ୍ଦ ଓ ବିଶ୍ବାସ ଘାତକତା ଯୋଗୁଁ ସେ ହାରିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ସେଥିପାଇଁ ସ୍ଵର୍ଗତ ବିଷ୍ଣୁ ଦାସଙ୍କୁ ୨୦୧୯ ନିର୍ବାଚନରେ ତିର୍ତ୍ତଲ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର କରାଯାଇ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଟିକେଟ ଦିଆଯାଇଥିଲା ଓ ସେ ମଧ୍ୟ ଚିରଞ୍ଜୀବ ବିଶ୍ଵାଳଙ୍କ ଭଳି ଜଣେ ହେବିୱେଟ ନେତାଙ୍କୁ ହରାଇ ବିଧାୟକ ହୋଇଥିଲେ। କିନ୍ତୁ ଏଥର ଜଗତସିଂହପୁର ନିର୍ବାଚନୀ ସମିକରଣ ଥିଲା ଟିକେ ଅଲଗା। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ। ଯେଉଁଥିପାଇଁ କି ଦଳର ବୃଦ୍ଧି ପାଇଥିଲା ଆତ୍ମ ବିଶ୍ଵାସ।

ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ୨୦୧୯ ରେ ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ନେତା ରୂପେ ପାଇ ଉତ୍ସାହର ସହ ଭଲ ଭୋଟ୍ ବ୍ୟବଧାନରେ ଜିତାଇ ଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା; ଠିକ ସରକାର ଗଠନ ହେବାର କିଛିଦିନ ପରେ ଦେଶରେ ଓ ରାଜ୍ୟରେ କରୋନା ପ୍ରବେଶ କରିଲା ଏବଂ ଦୁଇବର୍ଷ କାଳ ଲକଡାଉନରେ ସବୁକିଛି ବନ୍ଦ ହୋଇଗଲା। ଯାହାଯୋଗୁଁ ନୂଆ ନିର୍ବାଚନ ମଣ୍ଡଳୀର କର୍ମୀମାନଙ୍କୁ ଚିହ୍ନିବା,ଜାଣିବାରେ କିଛିଟା ବ୍ୟତିକ୍ରମ ସୃଷ୍ଟି ହେଲା ବୋଧହୁଏ। ଯାହାର ଫଳ ସ୍ୱରୂପ ଜଗତସିଂହପୁର ପୌର ପରିଷଦ କଂଗ୍ରେସ ହାତକୁ ଚାଲି ଯିବାସହ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆଖିଦୃଷ୍ଟିଆ ଫଳ ମିଳି ନଥିଲା। ତଥାପି ମଧ୍ୟ ସେହି ପୁରୁଣା କର୍ମୀଙ୍କୁ ଭରସା କରି ଚାଲିଥିଲେ ବିଧାୟକ ପ୍ରଶାନ୍ତ ମୁଦୁଲି। କିନ୍ତୁ ଦଳ ଭିତରେ ଥାଇ ଦଳ ବିରୋଧୀ କାର୍ଯ୍ୟ କରି ଚାଲିଥିଲେ ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ। ପ୍ରଶାନ୍ତ ମୁଦୁଲିଙ୍କୁ ଖୋଲା ଖୋଲି ବିରୋଧ କରିବା ସହ ଦଳୀୟ କର୍ମୀଙ୍କୁ କିଭଳି ହାତ ମୁଠାରେ ରଖିହେବ; ସେଥିପ୍ରତି କ୍ରମାଗତ ଭାବେ ପ୍ରଚେଷ୍ଟା ଜାରି ରଖିଥିଲେ। ଯେଉଁଥିରେ କି ଅମରେନ୍ଦ୍ର ଶେଷରେ ସଫଳ ମଧ୍ୟ ହୋଇଥିଲେ। ଯାହାକୁ ପ୍ରଶାନ୍ତ ମୁଦୁଲି ବୁଝି ପାରି ନଥିଲେ ବା ବୁଝିବାକୁ ଚେଷ୍ଟା ବି କରି ନଥିଲେ ବୋଧହୁଏ। ଯେଉଁ କର୍ମୀମାନେ ପ୍ରଶାନ୍ତଙ୍କ ଅତି ଘନିଷ୍ଠ ଥିଲେ ବା ସେ ଯେଉଁ ଆଗ ଧାଡ଼ିର କର୍ମୀ ମାନଙ୍କୁ ଅତ୍ୟଧିକ ବିଶ୍ଵାସ କରୁଥିଲେ, ସେହି କର୍ମୀ ମାନଙ୍କ ମଧ୍ୟରୁ ଅଧିକାଂଶ ଦଳରେ ରହି ଘର ଢ଼ିଙ୍କି କୁମ୍ଭୀର ପରି କାର୍ଯ୍ୟ କରୁଥିଲେ। ଏ ଘରେ ମାଉସୀ ସେ ଘରେ ପିଉସୀ ହୋଇ; ଭିତରେ ଭିତରେ ଅମରେନ୍ଦ୍ରଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ। ଯାହାଦ୍ବାରା କି ସେମାନେ ସେଥିରେ ସଫଳ ହେବା ସହ; ଅମରେନ୍ଦ୍ର ଦାସ ବିଜୟ ମୁକୁଟ ପିନ୍ଧି ବିଧାୟକ ହେଲେ ଏବଂ ପ୍ରଶାନ୍ତ ମୁଦୁଲି ପରାଜିତ ହେଲେ ବୋଲି କିଛି କର୍ମୀ ଅସନ୍ତୋଷ ପ୍ରକାଶ କରି କହିବା ସହ ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି।

Leave a Comment

  • Digital Griot