ଓଡ଼ିଆ ବିଶ୍ଵବିଦ୍ୟାଳୟ ଲୋକାର୍ପିତ…

👇खबर सुनने के लिए प्ले बटन दबाएं

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ…

ପୁରୀ,k7khabar: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିବା ସହ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ , ଅସ୍ମିତାର ସମୟ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ; ଆମ ସଂସ୍କୃତି, ଆମ ଜୀବନଧାରା, ଆମ ପରମ୍ପରାକୁ ଭିତ୍ତି କରି ଭଲ ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏହି ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସତ୍ୟବାଦୀକୁ ଓଡିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ ବୋଲି କହିଥିଲେ। ସେ ଆଦି କବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ଏବଂ ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀ ମାନଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇବା ସହ ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ , ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା, ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ ବୋଲି କହିଥିଲେ।

ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡିଆ ଭାଷା ଏକ ପ୍ରାଚୀନ ଭାଷା, ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି। ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଆବଶ୍ୟକ, ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଆବଶ୍ୟକ। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵ ବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍ଡିଂରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ଅତୀ ମନୋରମ ପରିଦୃଶ୍ୟ ହେଉଛି। ଏଥିରେ ସ୍କୁଲ ଅଫ ଲର୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏ ସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights