ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀଙ୍କୁ ୩ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ଓ ଘର ଲୋକ…

👇खबर सुनने के लिए प्ले बटन दबाएं

ପୁଣି ଜନନୀ ଯନ୍ତ୍ରଣା,ଗର୍ଭବତୀଙ୍କୁ ୩ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ଓ ଘର ଲୋକ…

କୋରାପୁଟ,k7khabar: ଗାଁକୁ ଭଲ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଯାହାଯୋଗୁଁ ପାଖାପାଖି ୨ ରୁ ୩ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଜଣେ ଗର୍ଭବତୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ଡୁମୁରି ଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଜିଲ୍ଲାର ଏଭଳି ଅନେକ ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଜରୁରୀ ସେବା ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚି ପାରୁନାହିଁ। ଫଳରେ ଅନେକ ସମୟରେ ରୋଗୀ ଉଚିତ ସେବା ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ଵଳନ୍ତ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ଅଞ୍ଚଳରେ।

ହେଲେ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣାକୁ ସହ୍ୟ କରି ନପାରି ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତାର ପରିଚୟ ଦେଇଛନ୍ତି। ନିଜେ ଷ୍ଟ୍ରେଚରରେ ୨ ରୁ ୩ କିଲୋମିଟର ବୋହି ବୋହି ଆଣିଛନ୍ତି ଆମ୍ବୁଲାନ୍ସ ନିକଟକୁ। ତେବେ ଜିଲ୍ଲା ପାଇଁ ଏହା କୌଣସି ନୂଆ କଥା ନୁହେଁ ଏଭଳି ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସୁଛି କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନର ଅବହେଳା ଯୋଗୁଁ କମିବାର ନାଁ ଧରୁନି ଏହି ଜନନୀ ଯନ୍ତ୍ରଣା ।

ସୂଚନା ଅନୁଯାୟୀ ଗାଁକୁ ଗୋଟେ ପକ୍କା ରାସ୍ତାର ସୁବିଧା ନଥିବାରୁ ଗାଁ ଭିତରକୁ ଆସି ପାରିନଥିଲା ଆମ୍ବୁଲାନ୍ସ। ଡାକ୍ତରଖାନା ଯିବା ପାଇଁ ଗାଁରୁ ପାଖାପାଖି ୩ କିମି ଦୂର ଷ୍ଟ୍ରେଚରରେ ବୁହା ହୋଇ ଗର୍ଭବତୀ ମହିଳା ଆମ୍ବୁଲାନ୍ସ ପାଖକୁ ଯିବାର ଏକ ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଡୁମୁରିଗୁଡ଼ା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା, ଆମ୍ବୁଲାନ୍ସ ମଧ୍ୟ ଆସିଥିଲା ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ପାଖାପାଖି ୩ କିଲୋମିଟର ଦୂରରେ ଅଟକି ଯାଇଥିଲା। ଭଲ ରାସ୍ତା ନଥିବାରୁ ଗାଡ଼ି ଯାଇ ପାରୁନାହିଁ ବୋଲି ଆମ୍ବୁଲାନ୍ସ କର୍ମଚାରୀ କହିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଗର୍ଭବତୀ ଜଣଙ୍କ ଆସିବାରେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ଧରି ଗାଁକୁ ଯାଇଥିଲେ ଏବଂ ଗର୍ଭବତୀ ଜଣଙ୍କୁ ଘର ଲୋକଙ୍କ ସହ ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ।

ଆଜିବି ଏହି ଦୃଶ୍ୟ ବୟାନ କରୁଛି କି କେତେ ଅନୁନ୍ନତ ଅବସ୍ଥାରେ ରହୁଛନ୍ତି କୋରାପୁଟ ଜିଲ୍ଲାର ଲୋକେ। ବର୍ତ୍ତମାନ ସରକାର ଉନ୍ନତ ସ୍ବାସ୍ଥ୍ୟସେବା, ଉନ୍ନତ ସଡ଼କ ସୁବିଧାର ଡିଣ୍ଡିମ ପିଟୁଥିବା ବେଳେ; ଏହି ବିପଦପୂର୍ଣ୍ଣ ଅବସ୍ଥାରେ ଗର୍ଭବତୀ ବୁହା ହୋଇ ଆସିବାଟା ଆଜି ରାଜ୍ୟ ସହ ଜିଲ୍ଲା ଗୁଡ଼ିକର ଉନ୍ନତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ବାରମ୍ବାର ଗାଁର ଲୋକମାନେ ଗାଁକୁ ଏକ ପକ୍କା ରାସ୍ତା ଯୋଗାଇଦେବା ପାଇଁ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ହେଲେ ତାଙ୍କର ଗୁହାରୀ ଶୁଣିବାକୁ କେହି ନାହାନ୍ତି। ଯାହାକି ଆଜିର ଏହି ଦୃଶ୍ୟ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକଙ୍କ ଅପାରଗତାର ପରିଚୟ ପ୍ରଦାନ କରୁଛି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights